ସର୍ବଧି ସାକ୍‌ସୀ ଭୂତମ

ଦେହ ଶୁଦ୍ଧି,ବିଚ଼ାର ଶୁଦ୍ଧି ଏବଂ ଭାବ ଶୁଦ୍ଧି: ମହର୍ଷି ବଶିଷ୍ଠ, ରାମ ଗୀତା

ଆନ୍ତରିକ ସାଧନାର ଦ୍ଵିତୀୟ ଚରଣ ବିଚାର ଶୂନ୍ୟତା ଅଟେ। ଯେପରି ସମ୍ୟକ ନିରୀକ୍ଷଣ କରିବା ଦ୍ୱାରା ଶରୀର ଶୂନ୍ୟତା ହୋଇ ଶରୀରରୁ ‘ମୁଁ’ ଭାବ କଟିଯାଏ, ସେହିପରି ସମ୍ୟକ ମନ ନିରୀକ୍ଷଣ ଦ୍ୱାରା ବିଚାର ଶୂନ୍ୟତା ହୋଇଥାଏ।

ସେଥିପାଇଁ ଆମ ମସ୍ତିଷ୍କରେ ଯେତେ ସବୁ ବିଚାରର ଧାରା ପ୍ରବାହିତ ହେଉଛି, କେବଳ ତାର ନିରୀକ୍ଷକ ହୋଇଯାଅ। ଯେପରି କୌଣସି ନଦୀ କୂଳରେ ବସିଛ ଏବଂ ନଦୀ ଧାରାକୁ ଦେଖୁଛ। କେବଳ ଦେଖିଚାଲ। ସେହିପରି ମନ ଆକାଶରେ ଉଡୁଥିବା ବିଚାରରେ ପକ୍ଷୀମାନଙ୍କୁ , ମେଘଗୁଡିକୁ, ନଦୀକୁ ଚୁପଚାପ ଦେଖିଚାଲ। ବିଚାର ସହିତ ବାନ୍ଧି ହୁଅ ନାହିଁ କି ବିଚାରକୁ ବାନ୍ଧ ନାହିଁ। ବିଚାରକୁ ଖୋଲା ଛାଡିଦିଅ। ଚୁପଚାପ ବସି କେବଳ ଦେଖି ଚାଲ। ଭଲ ମନ୍ଦ କୌଣସି ବିଚାରରେ କିଛି ହସ୍ତକ୍ଷେପ କର ନାହିଁ। ମନ୍ଦ ବିଚାର ଆସୁଛି , ଅଟକାଅ ନାହିଁ, ଭଲ ବିଚାର ଆସୁଛି ତ ଆସିବାକୁ ଦିଅ। କିଛି ବିଚାର ଆସୁନାହିଁ ତ ଆଣିବାକୁ ମଧ୍ୟ ଚେଷ୍ଟା କର ନାହିଁ। ତୁମେ ନିରୀକ୍ଷକ ହୋଇଯାଅ। ସେହି ନିରୀକ୍ଷଣରୁ ଜଣାପଡିବ ଯେ ବିଚାରର ଯିବା ଆସିବା ଅଲଗା ଓ ତୁମେ ସେହି ବିଚାରକୁ ଜାଣିବାବାଲା ତା ଠାରୁ ଅଲଗା। କାରଣ ବୋଧ ହେଉଛି ଯେ ଯିଏ ବିଚାରଗୁଡ଼ିକୁ ଦେଖୁଛି, ମନର ଚଞ୍ଚଳତାକୁ ଦେଖୁଛି, ମନର ସୁଖଦୁଃଖ ଅବସ୍ଥାକୁ ଦେଖୁଛି, ସେ ବିଚାର ଗୁଡିକଠାରୁ , ମନର ସୁଖଦୁଃଖରୁ , ମନର ଚଞ୍ଚଳତା, ସମାଧିରୁ ସମ୍ପୂର୍ଣ୍ଣ ଅଲଗା। ଯେତେବେଳେ ଏହି ବିଚାର ଶୁନ୍ୟତା ହୋଇଗଲା, ସେତେବେଳେ ଆଉ କୌଣସି ଚିନ୍ତା , କୌଣସି ବିଚାର ରହିବ ନାହିଁ। ତୁମେ ବିଚାରର ଭିଡ଼ ମଧ୍ୟରେ ରହି ମଧ୍ୟ ବିଚାରଠାରୁ ଅଲଗା ରହିବ। ଯଦି ଏହି ଧ୍ୟାନ ଆସିଗଲା ଯେ ‘ମୁଁ ବିଚାର ନୁହେଁ ‘, ତେବେ ବିଚାରସବୁ ନିର୍ଜୀଵ ଓ ଶାନ୍ତ ହୋଇଯିବେ। ବିଚାରସବୁ ମୋର ବୋଲି ଭାବିବା ପର୍ଯ୍ୟନ୍ତ ବିଚାରର ଜୀବନ ଅଛି ଓ ସେଗୁଡିକର ନିରୀକ୍ଷଣ କରିବା ହିଁ ସେଗୁଡିକର ମୃତ୍ୟୁ। ବିଚାରକୁ ସଜଗ ହୋଇ ଦେଖିବାଦ୍ଵାରା ବିଚାର ଜାଗ୍ରତହେବା ବନ୍ଦ ହୋଇଯାଏ। ସେତେବେଳେ ଜଣାପଡେ ଯେ କର୍ତ୍ତା ଅଲଗା ଓ ଦ୍ରଷ୍ଟା ଅଲଗା। ବିଚାରମାନଙ୍କର ଆମେ ବିଚାରକ ନୁହେଁ , ଦ୍ରଷ୍ଟାହେବା ଆବଶ୍ୟକ। ତେଣୁ ଆମେ ଋଷିମାନଂକୁ ମନ୍ତ୍ରର ସ୍ରଷ୍ଟା ନାହିଁ, ଦ୍ରଷ୍ଟା ବୋଲି କହୁ।

ବିଚାରର ଭାବାଭାବ ଦେଖିବାପାଇଁ ଆମ ଭିତରେ ଦୁଇଟି ଧାରା ହେବା ଆବଶ୍ୟକ। ଗୋଟିଏ ବିଚାରର ଓ ଦ୍ଵିତୀୟଟି ଦର୍ଶନର। ସାଧାରଣ ବ୍ୟକ୍ତି ନିକଟରେ ଦ୍ରଷ୍ଟାର ଭାବ ନ ଥାଏ। ସେଠାରେ କେବଳ ବିଚାରର ଧାରା ପ୍ରବାହିତ ହେଉଥାଏ। ଦର୍ଶନ ଧାରା ସୁପ୍ତ ଅବସ୍ଥାରେ ଥାଏ। ସାଧକଙ୍କ ଭିତରେ ଦୁଇଟି ଧାରା ଥାଏ। ବିଚାରର ଓ ଦର୍ଶନର – ଦୁଇଟିଯାକ ସାଧନା ଏକ ସଙ୍ଗରେ କରିବାକୁ ହୁଏ। ଏହାକୁ ସମ୍ୟକ ନିରୀକ୍ଷଣ କୁହାଯାଏ।

ସ୍ମରଣ ପୂର୍ବକ ବିଚାରକୁ ଦେଖିବାଦ୍ୱାରା ବିଚାର ଶୂନ୍ୟତା, ଶରୀରର କ୍ରିୟାଗୁଡିକୁ ଦେଖିବାଦ୍ୱାରା ଶରୀର ଶୂନ୍ୟତା ଏବଂ ଭାବକୁ ନିରୀକ୍ଷଣ କରିବାଦ୍ୱାରା ଭାବଶୂନ୍ୟତା ଘଟିତ ହୁଏ। କଠୋରତା ସ୍ଥାନରେ କରୁଣା, ଘୃଣା ବଦଳରେ ପ୍ରେମ ଓ ଦ୍ୱେଷ ବଦଳରେ ପ୍ରେମକୁ ହୃଦୟରେ ସ୍ଥାନ ଦେଲେ ଭାବ ଶୁଦ୍ଧି ହୋଇଥାଏ।
ବର୍ତ୍ତମାନ ଏହି ସତ୍ୟକୁ ବି ଜାଣନ୍ତୁ ଯେ ଯିଏ ପ୍ରେମ କରୁଛି, ଯିଏ ଘୃଣା କରୁଛି, ତା ପଛରେ ମଧ୍ୟ ଗୋଟିଏ ତତ୍ତ୍ୱ ଅଛି, ଯିଏ କି ସର୍ବଧି ସାକ୍‌ସୀ ଭୂତମ ଯିଏ ପ୍ରେମ ଓ ଘୃଣାକୁ ବି ଦେଖୁଛି। ସେ କେବଳ ଜାଣୁଛି,ସେ ଘୃଣା କରୁନାହିଁ କି ପ୍ରେମ କରୁନାହିଁ, ସେ କେବଳ ସାକ୍ଷୀ ଅଟେ, ସେ ହିଁ ତୁମେ ଅଟ। ତତ୍ତ୍ୱମସି। ସେ ଦେଖିଥିଲା ଯେ କେବେ ଏ ଘୃଣା କରିଥିଲା, କେବେ ଏ ପ୍ରେମ କରିଥିଲା କିନ୍ତୁ ଯିଏ ସବୁର ମଧ୍ୟରେ, ଆରମ୍ଭରେ ଓ ସମସ୍ତଙ୍କର ପଛରେ ଅଛି, ସେ କେବଳ ସାକ୍ଷୀ ଅଟେ, ସେ କେବଳ ଦେଖୁଛି। ସେ ହିଁ ତୁମେ ଅଟ।
କ୍ରମଶଃ..