ଆସିଲାନି ପୁଅ, ମା’ ଶବକୁ କାନ୍ଧଦେଲେ ୬ଝିଅ

ସମ୍ବଲପୁର : ମା’ର କେତେବେଳେ ଯନ୍ତ୍ରଣା ସରେନି । ସାରାଜୀବନ ଯନ୍ତ୍ରଣା ଲାଗିରହିଥାଏ । ଏଠି ଓଲଟା ପିଲାଙ୍କ ବୟସ ବଢିବା ସହ ବଢିଚାଲେ ମାଆର ଚିନ୍ତା । ମୃତ୍ୟୁ ପରେ ବି ମା’ର ଯନ୍ତ୍ରଣା ସରିଲାନି । ଗୋଟିଏ ବୋଲି ପୁଅ ଯେ, ମଲା ପରେ ମା’କୁ କାନ୍ଧ ଦେବା ତ ଦୂରର କଥା ପାଖ ବି ମାଡିଲାନି ଏକମାତ୍ର ପୁଅ । ମା’ଙ୍କ ଦେଖାଶୁଣା କରୁଥିବା ୬ ଝିଅ ଶେଷରେ ତାଙ୍କ ମୃତଦେହକୁ କାନ୍ଧ ଦେବା ସହ ମୁଖାଗ୍ନି ଦେଇଛନ୍ତି ।

ଏହି ହୃଦୟ ବିଦାରକ ଖବର ଦେଖିବାକୁ ମିଳିଛି ସମ୍ବଲପୁରରେ । ସବୁ ପିତାମାତା ଚାହାନ୍ତି ପୁଅ ସେମାନଙ୍କ ଜୀବନର ଶେଷ ପର୍ଯ୍ୟାୟ ବୃଦ୍ଧାବସ୍ଥାରେ ଦେଖାଶୁଣା କରୁ । ଆଉ ପରଲୋକ ପରେ ମୁଖାଗ୍ନି ଦେଉ । ହେଲେ ସମସ୍ତଙ୍କ ଭାଗ୍ୟରେ ସେଭଳି ହୋଇନଥାଏ । ସମ୍ବଲପୁରର ସ୍ୱର୍ଗତ ଭୁବନ ସାହୁଙ୍କ ପତ୍ନୀ ଶ୍ରୀମତି ସାହୁଙ୍କ କ୍ଷେତ୍ରରେ ଏଭଳି କିଛି ଘଟଣା ଘଟିଛି । ସ୍ୱାମୀ ଭୁବନଙ୍କ ମୃତ୍ୟୁ ପରେ ପୁଅ ନ ପଚାରିବାରୁ ସେ ଦୀର୍ଘ ୧୫ ବର୍ଷ ହେବ ଝିଅମାନେ ତାଙ୍କ ସେବାଯତ୍ନ କରୁଥିଲେ । ଆଜି ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଥିଲା । ଏକ କମ୍ପାନୀରେ ଚାକିରି କରୁଥିବା ପୁଅ ମା’ଙ୍କ ମୁଖାଗ୍ନି ଦେବା ଭିନ୍ନ କଥା ଶେଷ ଦର୍ଶନ କରିବାକୁ ବି ଆସିନଥିଲେ । ଏଭଳି ସ୍ଥିତିରେ ମୃତ୍ୟୁ ପରେ ଛଳ ଛଳ ଆଖିରେ ମା’ଙ୍କ ମରଶରୀରକୁ କାନ୍ଧ ଦେଲେ ୬ ଝିଅ । ମନରେ ମାଁ ଚାଲିଯିବାର ଦୁଃଖକୁ ଜାବୁଡି ଧରି ଛଅ ଝିଅ ମୁଖାଗ୍ନି ଦେଇଥିବା ଜଣାପଡିଛି ।