ଅଫେରା ରାଇଜରେ ଶାନ୍ତନୁ ମହାପାତ୍ର-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ): ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଦେହାନ୍ତ ହୋଇଯାଇଛି। ନିମୋନିଆରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ୮୪ ବର୍ଷ ବୟସରେ ଗତକାଲି ରାତି ପ୍ରାୟ ୧୨.୪୫ ମିନିଟରେ ତାଙ୍କର ପରଲୋକ ହୋଇଛି । ଓଡ଼ିଆ ଚଳଚ୍ଚିତ୍ର ଜଗତର କିଂବଦନ୍ତୀ ପୁରୁଷ ଶାନ୍ତନୁ ମହାପାତ୍ର ବହୁ ଲୋକପ୍ରିୟ ଗୀତ ତାଙ୍କୁ ଜନମାନସରେ ପରିଚୟ ଦେଇଛି ।

ଓଡିଶା ତଥା ଓଡିଶା ବାହାରେ ତାଙ୍କର ଚିର ସବୁଜ ଗୀତ ସର୍ବଦା ଚିରସ୍ମରଣୀୟ ହୋଇ ରହିଛି। ସେ ପ୍ରଥମ ଓଡ଼ିଆ ସଂଗୀତ ନିର୍ଦେଶକ ଭାବେ ବଲିଉଡ୍ ଗାୟକ ମହମ୍ମଦ ରଫି ଓ ଲତା ମଙ୍ଗେସକରଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରାଇଥିଲେ। ତାଙ୍କ ନିର୍ଦ୍ଦେଶନାରେ ମହମ୍ମଦ ରଫି ଗାଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ର ଗୀତ ‘ମୟୂରୀଗୋ ତୁମ ଆକାଶେ ମୁଁ ଦିନେ ମହ୍ଲାରେ ମେଘ ସାଜିଲି…’ ତାଙ୍କୁ ଘରେ ଘରେ ପରିଚିତ କରାଇଛି।

ସେହିପରି ଶାନ୍ତନୁ ମହାପାତ୍ରଙ୍କରସଂଗୀତ ନିର୍ଦ୍ଦେଶିତ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ‘ଅରୁନ୍ଧତୀ’,‘ସୂର୍ଯ୍ୟମୁଖୀ’,‘ମେଘମୁକ୍ତି’,‘ପ୍ରିୟତମା’ ‘ଅଗ୍ନିପରୀକ୍ଷା’, ‘ଡୋରା’, ‘ଜଗାବଳିଆ’, ‘ଗୋଲାମଗିରି’, ‘ରଣଭୂମି’, ‘ପଥର ଖସୁଛି ବଡ଼ ଦେଉଳୁ’ ଅନ୍ୟତମ । ସେ ସଙ୍ଗୀତ ନିର୍ଦେଶନା ଦେଇଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରୁ କେତେକ ଆଞ୍ଚଳିକ ଏବଂ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ‘ଚିଲିକା ତୀରେ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ମେଘମୁକ୍ତି’, ଶୀତରାତି (କଳାତ୍ମକ ଚଳଚ୍ଚିତ୍ର) ‘ଜୀବନ ସଂଗ୍ରାମ’ ଆଦି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ସେ ସଙ୍ଗୀତ ନିର୍ଦେଶନା ଦେଇଥିବା ବଙ୍ଗଳା କଳାତ୍ମକ ଚଳଚ୍ଚିତ୍ର ହେଉଛି ‘ମହାପୃଥିବୀ’। କଳାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ସୋଧ’ରେ ମଧ୍ୟ ସେ ସ୍ୱର ସଂଯୋଜନା କରିଥିଲେ ଏବଂ ୧୯୭୯ରେ ଏହି ଚଳଚ୍ଚିତ୍ର ‘ସ୍ୱର୍ଣ୍ଣ କମଳ ପୁରସ୍କାର’ ପାଇଥିଲା। ଏହାଥିଲା ଓଡ଼ିଶାରୁ ପ୍ରଯୋଜିତ ପ୍ରଥମ ରଙ୍ଗିନ ହିନ୍ଦୀ ଚଳଚ୍ଚିତ୍ର।

ଶାନ୍ତନୁ ୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରାହଣ କରିଥିଲେ। ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍‌ ଜିଓଲୋଜି ଆଣ୍ଡ୍‌ ଜିଓଫିଜିକ୍ସ୍‍’ରେ ସ୍ନାତକ ହାସଲ କରିଥିଲେ। ଜଣେ ଭୂତତ୍ତ୍ୱବିତ୍‌ ଭାବେ ସେ ୧୯୫୭ ଜୁନ୍‌ ମାସରେ ଓଡ଼ିଶା ରାଜ୍ୟ ସରକାରଙ୍କ ‘ଡାଇରେକ୍ଟୋରେଟ୍‌ ଅଫ୍‌ ମାଇନିଙ୍ଗ୍‌ ଆଣ୍ଡ୍‌ ଜିଓଲୋଜି’ରେ ଯୋଗ ଦେଇ ୧୯୯୪ରେ ଏହାର ନିର୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କ ପାଇଁ ସଙ୍ଗୀତ ଥିଲା ପ୍ରିୟ ସାଥି । ତେଣୁ, ପାଞ୍ଚ ବର୍ଷ ବୟସରୁ ସେ ସଙ୍ଗୀତ ନାରାୟଣ ବାଞ୍ଛାନିଧି ପଣ୍ଡାଙ୍କ ଠାରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରି ନଅ ବର୍ଷ ବୟସରେ ସର୍ବସାଧାରଣରେ ଗୀତ ଗାଇଥିଲେ। ସେହିପରି ସେ ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ଧରି ଆକାଶବାଣୀ ଏବଂ ଦୂରଦର୍ଶନରେ ଜଣେ ଶୀର୍ଷସ୍ତରୀୟ ସ୍ୱରସଂଯୋଜକ ଭାବେ ଶତାଧିକ ଆଧୁନିକ ଓଡ଼ିଆ ଗୀତ ସୃଷ୍ଟି କରିଥିଲେ। ସଙ୍ଗୀତ ପାଇଁ ତାଙ୍କୁ ୨୦୦୪ରେ ‘ଲଳିତ କଳା ଏକାଡେମି ପୁରସ୍କାର’ ଏବଂ ୧୯୯୫ରେ ‘ଓଡ଼ିଶା ଫିଲ୍ମ୍‌ କ୍ରିଟିକ୍‌ ଆଓ୍ଵାର୍ଡ’ ସମେତ ଅନେକ ପୁରସ୍କାର ଓ ସମ୍ମାନ ମିଳିଥିଲା।

ଅନ୍ୟପଟେ ଓଡ଼ିଶାର ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ନିର୍ଦେଶିତ ସଙ୍ଗୀତ ହିଁ ତାଙ୍କୁ ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବର୍ଗତଃ ଶାନ୍ତନୁ ମହାପାତ୍ରଙ୍କ ଶେଷ କୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।