160×600
160×600

ମଣିପୁର ହିଂସା: ଅସଂଖ୍ୟ ହିଂସା ଓ ମହିଳାଙ୍କୁ ଯୌନ ବ୍ୟଭିଚାର; ରାଜ୍ୟ ପୁଲିସ୍ ତଦନ୍ତ ପାଇଁ ଅଯୋଗ୍ୟ ଓ ଅକ୍ଷମ

ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ, ୭ରେ ହାଜର ହେବେ ଡିଜିପି

ମଣିପୁରରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଧ୍ୱସ୍ତ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ପୁଣି ରାଜ୍ୟ ପୁଲିସ ଉପରେ ମଣିପୁର ହିଂସା ମାମଲାରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପୀଠ ଅସଂଖ୍ୟ ହିଂସା ଓ ମହିଳାଙ୍କୁ ଯୌନ ବ୍ୟଭିଚାର ଘଟଣାର ଏତଲା ଗ୍ରହଣ ଓ ବୟାନ ଲିପିବଦ୍ଧ​‌ରେ ମନ୍ଥରତା ଏବଂ ତଦନ୍ତରେ ଶିଥିଳତା ନେଇ ପୁଲିସକୁ ଅତି ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ଗତ ଦୁଇ ମାସରୁ ଅଧିକ ସମୟ ଧରି ସାମ୍ବିଧାନିକ ବିଧି ବ୍ୟବସ୍ଥା ଭୂଲୁଣ୍ଠିତ ହୋଇଥିବା ପ୍ରଧାନ ବିଚାରପତି କହିଛନ୍ତି। ଏହି ପରିପ୍ରେକ୍ଷୀରେ ମଣିପୁର ପୁଲିସ ମହାନିର୍ଦେଶକ (ଡିଜିପି)ଙ୍କୁ ଆସନ୍ତା ୭ ତାରିଖ ଅପରାହ୍ଣ ୨ଟାରେ ବ୍ୟକ୍ତିଗତ ହାଜର ହେବାକୁ ପୀଠ ନିର୍ଦେଶ ଦେଇଛନ୍ତି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ୭ତାରିଖକୁ ଧାର୍ଯ୍ୟ କରିଛନ୍ତି।

ସୂଚନାନୁଯାୟୀ, ହିଂସାକାଣ୍ଡ ଓ ଏତଲା ସମ୍ପର୍କିତ ତଥ୍ୟ ଅଦ୍ୟାବଧି ୬୫୨୩ ଏତଲା ରୁଜୁ ହୋଇଥିବାବେଳେ ସେଥିମଧ୍ୟରୁ ୧୧ଟି ମହିଳା ଓ ଶିଶୁଙ୍କ ସମ୍ପର୍କିତ। ସମୁଦାୟ ୨୫୨ଜଣଙ୍କୁ ଗିରଫ କରାଯାଇଥିବାବେଳେ ଦୁଇ ମହିଳାଙ୍କୁ ଉଲଗ୍ନ ବୁଲାଇବା ଘଟଣାରେ ଜଣେ ନାବାଳକ ସହ ମୋଟ ୭ ଜଣଙ୍କୁ ଗିରଫ କରାଯାଇଥିବା ଉଲ୍ଲେଖ କରିବା ପରେ ପ୍ରଧାନ ବିଚାରପତି ଅନ୍ୟ ଦୁଇ ମହିଳାଙ୍କୁ ଗଣଧର୍ଷଣ ପରେ ହତ୍ୟା ସମ୍ପର୍କିତ ତଥ୍ୟ ମାଗିଥିଲେ। ମେହତା ତାଙ୍କ ଜବାବରେ ଏତଲାଗୁଡ଼ିକରେ ସନ୍ନିବେଶିତ ତଥ୍ୟରେ କିଛିଟା ଅମେଳ ରହିଥିବା ସ୍ବୀକାର କରିଥିଲେ। ମେ’ ୧୫ରେ ପ୍ରଥମ ଶୂନ୍ୟ ଏତଲା ପଞ୍ଜିକୃତ ହୋଇଥିଲା ଓ ପରଦିନ ଏହାକୁ ନିୟମିତ ଏତଲାରେ ପରିଣତ କରାଯାଇଥିଲା ବୋଲି ମେହତା କହିଥିଲେ।
ଗିରଫ ଓ ଅନ୍ୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ତାଙ୍କ ପାଖରେ ତଥ୍ୟ ନଥିବା ମଧ୍ୟ ମେହତା ସ୍ବୀକାର କରିଥିଲେ। ମେ’ ୪ରେ ଘଟିଥିବା ଘଟଣାରେ ଏତଲା ଜୁଲାଇ ୨୬ରେ ରୁଜୁ ହୋଇଥିବା ପ୍ରଧାନ ବିଚାରପତି ଦର୍ଶାଇବାରେ ମେହତା ନିରବ ରହିଥିଲେ। ଗୋଟିଏ-ଦୁଇଟି ଘଟଣାକୁ ଛାଡ଼ିଦେଲେ ଅନ୍ୟ କୌଣସିଥିରେ କାହାକୁ ଗିରଫ କରାଯାଇନଥିବା, ଏତଲା ପ୍ରଦାନରେ ମନ୍ଥରତା, ଅତ୍ୟନ୍ତ ଶିଥିଳ ତଦନ୍ତ ଆଦି ଯୋଗୁଁ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ସେ ଦୃଷ୍ଟିରୁ ରାଜ୍ୟ ପୁଲିସ ମାମଲାର ତଦନ୍ତ ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ, ପୁଲିସ ନିୟନ୍ତ୍ରଣ ହରାଇବାରୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭୂଲୁଣ୍ଠିତ ହୋଇଥିବା ଓ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ପ୍ରଧାନ ବିଚାରପତି କହିଥିଲେ। ପୁଲିସ ଉପରୁ ଲୋକେ ଆସ୍ଥା ହରାଇଥିବା ଓ ଆଇନର କାର୍ଯ୍ୟକାରିତା ନେଇ ସନ୍ଦେହ ଜାତ ହୋଇଥିବା ମତ ଦେଇଥିଲେ। ମେହତା ଦର୍ଶାଇଥିଲେ ଯେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନରେ ଶିଥିଳତା ହୋଇନାହିଁ; ବରଂ ସିବିଆଇକୁ ୧୧ଟି ଏତଲା ହସ୍ତାନ୍ତର କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଘଟଣା ପ୍ରତି ସମ୍ବେଦନଶୀଳ ଥିବା ସେ କହିଥିଲେ।

ସମ୍ପ୍ରତି ମଣିପୁର ଗସ୍ତରୁ ଫେରିଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂହଙ୍କୁ ତୁରନ୍ତ ବରଖାସ୍ତ ସହ ରାଷ୍ଟ୍ରପତି ଶାସନ ଜାରି ପାଇଁ ଦାବି କରିଛନ୍ତି।