ଚନ୍ଦ୍ରଯାନକୁ ବାଟ କଢ଼ାଉଛି ଧ୍ରୁବତାରା

ଆପଣ ଜାଣନ୍ତି? ଚନ୍ଦ୍ରଯାନ-୩ରେ ଜିପିଆରଏସ ସିଷ୍ଟମ ଲାଗିନାହିଁ । ମନରେ ପ୍ରଶ୍ନ ଉଠୁଥିବ, କାହିଁକି? ମହାକାଶରେ ଜିପିଆରଏସ ସିଷ୍ଟମ କାମ କରେନାହିଁ । ମହାକାଶରେ ଘୁରି ବୁଲୁଥିବା ନକ୍ଷତ୍ରକୁ ଲକ୍ଷ୍ୟ କରି କୃତ୍ରିମ ଉପଗ୍ରହ ଲକ୍ଷ୍ୟପଥ ବାଛିଥାନ୍ତି । ଅତଏବ ଆମେ ପଠାଇଥିବା ଚନ୍ଦ୍ରଯାନଟି ମହାକାଶରେ ଚିକମିକ କରୁଥିବା ଧ୍ରୁବତାରାକୁ ଲୟ ରଖି ଚନ୍ଦ୍ର ନିିକଟକୁ ଯାଉଛି । ।

ଏବେ ଆମ ଚନ୍ଦ୍ରଯାନଟିି ପୃଥିବୀକୁ ପ୍ରଦକ୍ଷିଣ କରୁଛି ଘଂଟାକୁ ପ୍ରାୟ ୪୦ ହଜାର କିଲୋମିଟର ଗତିରେ । ଅଗଷ୍ଟ ପହିଲା (୨୦୨୩ ଅଗଷ୍ଟ ୧) ଦିନ ରାତି ୧୨ଟାରୁ ସାଢେ଼ ୧୨ଟା ଭିତରେ ଚନ୍ଦ୍ରଯାନ ତା’ର ଐତିହାସିକ ଯାତ୍ରା ଆରମ୍ଭ କରିବ । ଅଗଷ୍ଟ ୫ ତାରିଖରେ ଚନ୍ଦ୍ରଯାନ ଜହ୍ନମାମୁଁଙ୍କର ପ୍ରଥମ କବାଟରେ ପ୍ରବେଶ କରିବ । ସେହି କବାଟରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଆଉ ଆମର ସବୁ କଥା ମାନିବନି, ମାମୁୁଁଙ୍କ ମତିଗତି ଉପରେ ନିର୍ଭର କରି ଆପଣା ବାଟ ଖୋଜିନେବ ।

ଚନ୍ଦ୍ରଯାନରେ ଗୁଡ଼ାଏ କ୍ୟାମେରା ଖଞ୍ଜାଯାଇଛି । କ୍ୟାମେରାରେ ଷ୍ଟାର ସେନ୍ସର ଲାଗିଛି । ସେହି ସେନ୍ସର ବଳରେ ଚନ୍ଦ୍ରଯାନ-୩ ଦିନରେ ସୂର୍ଯ୍ୟ ଓ ରାତିରେ ଧ୍ରୁବତାରାକୁ ଅନାଇ ଯାତ୍ରା ଜାରି ରଖିଛି । ଜାଣନ୍ତି, ଧ୍ରୁବତାରା ସ୍ଥାନ ଉତର ଦିଗରେ । ଧ୍ରୁବତାରାକୁ ମୁହଁ କଲେ, ପଛଭାଗଟି ଦକ୍ଷିଣ, ଡାହାଣ ଭାଗଟି ପୂର୍ବ ଓ ବାମଭାଗଟି ପଶ୍ଚିମ ଦିଗ ଧରି ନିଆଯାଏ । ଧ୍ରୁବତାରା କେବଳ ପୃଥିବୀ ପୃଷ୍ଠରେ ଦିଗ ନିରୂପଣ କରିବାରେ ସହାୟକ ହୁଏନା । ଗଭୀର ସମୁଦ୍ର ଓ ମହାକାଶରେ ମଧ୍ୟ ଦିଗବାରିଣୀ ଯନ୍ତ୍ର ଭଳି କାମ କରେ ।

ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରପିଠିରେ ଅବତରଣ କରିବ । ଚନ୍ଦ୍ରଯାନରେ ଖଞ୍ଜା ଯାଇଥିବା ଲେଜର ଆଣ୍ଡ ଆରପିଏଫ୍‌ଜନିତ ଅଲଟିମିଟର୍ସ, ଲେଜର ଡପଲର ଭେଲିସିଟିମିଟର ଚନ୍ଦ୍ରଯାନର ସବୁ ଯନ୍ତ୍ରପାତି ଓ ଇଞ୍ଜିନକୁ ନିୟନ୍ତ୍ରଣ କରୁଛି । ଚନ୍ଦ୍ରଯାନ-୨ ଯାଇଥିବା ବାଟକୁ ଆଶ୍ରା କରି ଆଗେଇ ଚାଲିଛି ଚନ୍ଦ୍ରଯାନ-୩ ।