ଜି -୨୦ ଶିକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ପିଆଇବି, ଭୁବନେଶ୍ଵର : ଜି -୨୦ ଶିକ୍ଷା ମନ୍ତ୍ରୀ ବୈଠକ ପାଇଁ ମୁଁ ଆପଣ ସମସ୍ତଙ୍କୁ ଭାରତକୁ ସ୍ୱାଗତ କରୁଛି । ଶିକ୍ଷା କେବଳ ଯାହା ଉପରେ ଆମର ସଭ୍ୟତା ନିର୍ମିତ ହୋଇଛି ତାହାର ଭିତ୍ତିଭୂମି ନୁହେଁ, ଏହା ମାନବିକତାର ଭବିଷ୍ୟତର ସ୍ଥାପତ୍ୟ ମଧ୍ୟ ଅଟେ । ଶିକ୍ଷା ମନ୍ତ୍ରୀ ଭାବରେ, ଆପଣ ବିକାଶ, ଶାନ୍ତି ଏବଂ ସମୃଦ୍ଧତା ପାଇଁ ଆମର ପ୍ରୟାସ କ୍ଷେତ୍ରରେ ଶେର୍ପା ଭାବେ ମାନବିକତାକୁ ଆଗେଇ ନେଉଛନ୍ତି । ଭାରତୀୟ ଶାସ୍ତ୍ରରେ ଶିକ୍ଷାର ଭୂମିକାକୁ ଆନନ୍ଦ ଆଣିବା କ୍ଷେତ୍ରରେ ପ୍ରମୁଖ ବୋଲି ବର୍ଣ୍ଣନା କରାଯାଇଛି । ବିଦ୍ୟା ଦଦାତି ବିନୟଂ ବିୟାଦ୍ ପାତ୍ରତାମ୍‌ । ପାତ୍ରତ୍ୱାତ୍ ଧନମାପ୍ନୋତି ଧନାର୍ଦ୍ଧମ୍ ତତଃ / विद्या ददाति विनयं विनयाद् पात्रताम् । पात्रत्वात् धनमाप्नोति धनाद्धर्मं ततः।। ଏହାର ଅର୍ଥ ହେଉଛି : “ପ୍ରକୃତ ଜ୍ଞାନ ନମ୍ରତା ପ୍ରଦାନ କରେ । ନମ୍ରତା ଠାରୁ ମୂଲ୍ୟବୋଧ ଆସେ । ମୂଲ୍ୟବୋଧରୁ ଜଣେ ଧନ ପ୍ରାପ୍ତ ହୁଏ । ଧନ ଜଣେ ବ୍ୟକ୍ତିଙ୍କୁ ଭଲ କାର୍ଯ୍ୟ କରିବାକୁ ସକ୍ଷମ କରେ । ଏବଂ, ଏହା ହିଁ ଆନନ୍ଦ ଆଣିଥାଏ । ଏହି କାରଣରୁ, ଭାରତରେ, ଆମେ ଏକ ସାମଗ୍ରିକ ଏବଂ ବ୍ୟାପକ ଯାତ୍ରା ଆରମ୍ଭ କରିଛୁ । ଆମେ ବିଶ୍ୱାସ କରୁ ଯେ ଭିତ୍ତିଭୂମି ସାକ୍ଷରତା ଆମର ଯୁବକ ମାନଙ୍କ ପାଇଁ ଏକ ମଜଭୁତ ଆଧାର ଅଟେ । ଏବଂ, ଆମେ ଏହାକୁ ପ୍ରଯୁକ୍ତି ସହିତ ମିଶ୍ରଣ କରୁଛୁ । ଏଥି ପାଇଁ ଆମେ “ବୁଝିବା ଏବଂ ସାଂଖ୍ୟିକତା ସହିତ ପଠନରେ ଦକ୍ଷତା ପାଇଁ ଜାତୀୟ ପଦକ୍ଷେପ” କିମ୍ବା ” ନିପୁଣ ଭାରତ” ପଦକ୍ଷେପ ଆରମ୍ଭ କରିଛୁ । ମୁଁ ଖୁସି ଯେ “ଭିତ୍ତିଭୂମି ସାକ୍ଷରତା ଏବଂ ସାଂଖ୍ୟିକତା ” ଆପଣ ମାନଙ୍କ ଗୋଷ୍ଠୀ ଦ୍ୱାରା ପ୍ରାଥମିକତା ଭାବରେ ଚିହ୍ନଟ ହୋଇଛି । ୨୦୩୦ ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଉପରେ କାର୍ଯ୍ୟ କରିବାକୁ ଆମେ ସଂକଳ୍ପବଦ୍ଧ ହେବା ଆବଶ୍ୟକ ।

ମାନ୍ୟଗଣ, ଉନ୍ନତ ଶାସନ ସହିତ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଆମର ଉଦ୍ଦେଶ୍ୟ ହେବା ଆବଶ୍ୟକ । ଏଥିରେ, ଆମକୁ ନୂତନ ଇ- ଶିକ୍ଷଣକୁ ଅଭିନବ ଢଙ୍ଗରେ ଗ୍ରହଣ ଏବଂ ବ୍ୟବହାର କରିବାକୁ ପଡିବ । ଭାରତରେ, ଆମେ ନିଜର ଅନେକ ପଦକ୍ଷେପ ନେଇଛୁ । ଏହିପରି ଏକ କାର୍ଯ୍ୟକ୍ରମ ହେଉଛି “ଷ୍ଟଡି ୱେବ୍ସ ଅଫ୍ ଆକ୍ଟିଭ୍ – ଲର୍ନିଂ ଫର୍ ୟଙ୍ଗ ଆସ୍ପିରିଙ୍ଗ୍ ମାଇଣ୍ଡସ୍‌”, କିମ୍ବା “ସ୍ୱୟଂ” । ଏହି ଅନଲାଇନ୍ ପ୍ଲାଟଫର୍ମ ନବମ ଶ୍ରେଣୀ ଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମ ଆୟୋଜନ କରେ । ଏହା ଛାତ୍ର ମାନଙ୍କୁ ଦୂରରେ ରହି ମଧ୍ୟ ଶିଖିବାକୁ ସକ୍ଷମ କରେ ଏବଂ ପ୍ରବେଶ, ନିଷ୍ପକ୍ଷତା ଏବଂ ଗୁଣବତ୍ତା ଉପରେ ଧ୍ୟାନ ଦେଇଥାଏ । ୩୪ ନିୟୁତରୁ ଅଧିକ ନାମଲେଖା ଏବଂ ନଅ ହଜାରରୁ ଅଧିକ ପାଠ୍ୟକ୍ରମ ସହିତ ଏହା ଏକ ପ୍ରଭାବଶାଳୀ ଶିକ୍ଷଣ ଉପକରଣ ହୋଇ ପାରିଛି । ଆମ ପାଖରେ “ଜ୍ଞାନ ବଂଟନ କରିବା ପାଇଁ ଡିଜିଟାଲ୍ ଭିତ୍ତିଭୂମି” କିମ୍ବା ଦୀକ୍ଷା ପୋର୍ଟାଲ୍ ମଧ୍ୟ ରହିଛି । ଏହା ଦୁର୍ଗମ ଅଞ୍ଚଳର ଛାତ୍ର ଏବଂ ନିୟମିତ ଶ୍ରେଣୀକୁ ଆସି ପଢ଼ିବାକୁ ଅସମର୍ଥ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ । ଦୂର ଶିକ୍ଷା ମାଧ୍ୟମରେ ବିଦ୍ୟାଳୟ ଶିକ୍ଷା ପ୍ରଦାନ କରିବାକୁ ଶିକ୍ଷକମାନେ ଏହାକୁ ବ୍ୟବହାର କରନ୍ତି । ଏହା ଅଣତିରିଶଟି ଭାରତୀୟ ଭାଷା ଏବଂ ସାତଟି ବିଦେଶୀ ଭାଷାରେ ଶିଖିବାକୁ ସମର୍ଥନ କରେ । ଏଥିରେ ୧୩୭ ମିଲିୟନରୁ ଅଧିକ ପାଠ୍ୟକ୍ରମ ସମାପ୍ତ ହୋଇଛି । ଏହି ଅନୁଭୂତି ଏବଂ ଉତ୍ସ ଗୁଡିକୁ . ବିଶେଷ କରି ବୈଶ୍ୱିକ ଦକ୍ଷିଣ କ୍ଷେତ୍ର  ସହିତ ବଂଟନ କରି ଭାରତ ଖୁସି ହେବ ।

ମାନ୍ୟଗଣ, ଆମର ଯୁବ ଭବିଷ୍ୟତକୁ ପ୍ରସ୍ତୁତ କରିବା ପାଇଁ, ଆମକୁ ନିରନ୍ତର ଦକ୍ଷତା, ପୁନଃ- ଦକ୍ଷତା ଏବଂ ଦକ୍ଷତାକୁ ଅଧିକ କରିବା ଆବଶ୍ୟକ । ଆମେ ସେମାନଙ୍କର ଦକ୍ଷତା ବିକାଶ ସହିତ ଜଡିତ କାର୍ଯ୍ୟ ପ୍ରୋଫାଇଲ୍ ଏବଂ ଅଭ୍ୟାସ ସହିତ ସଂରେଖିତ କରିବା ଆବଶ୍ୟକ । ଭାରତରେ, ଆମେ ଦକ୍ଷତା ନିରୂପଣ କରୁଛୁ । ଆମର ଶିକ୍ଷା, ଦକ୍ଷତା ଏବଂ ଶ୍ରମ ମନ୍ତ୍ରଣାଳୟ ଏହି ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି । ଜି -୨୦ ଦେଶଗୁଡିକ ବିଶ୍ୱ ସ୍ତରରେ ଦକ୍ଷତା ନିରୂପଣ କରି ପାରିବେ ଏବଂ ପୂରଣ ହେବା ଆବଶ୍ୟକ କରୁଥିବା ଫାଟଗୁଡିକ ଖୋଜି ପାରିବେ ।

ମାନ୍ୟଗଣ, ଡିଜିଟାଲ୍ ଟେକ୍ନୋଲୋଜି ଏକ ସମାନତାକାରୀ ଭାବରେ କାର୍ଯ୍ୟ କରେ ଏବଂ ଅନ୍ତର୍ଭୂକ୍ତିକୁ ପ୍ରୋତ୍ସାହିତ କରେ । ଶିକ୍ଷାର ପ୍ରବେଶ ବୃଦ୍ଧି ଏବଂ ଭବିଷ୍ୟତର ଆବଶ୍ୟକତା ସହିତ ଖାପ ଖୁଆଇବାରେ ଏହା ଏକ ଶକ୍ତି ଗୁଣକ । ଆଜି, କୃତ୍ରିମ ବୌଦ୍ଧିକ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା କ୍ଷେତ୍ରରେ ବହୁତ ସମ୍ଭାବନା ପ୍ରଦାନ କରୁଛି । ଅନେକ ସୁଯୋଗ ସହିତ, ପ୍ରଯୁକ୍ତି ମଧ୍ୟ ଆହ୍ୱାନ ସୃଷ୍ଟି କରେ । ଆମକୁ ସଠିକ୍ ସନ୍ତୁଳନ ରକ୍ଷା କରିବାକୁ ପଡିବ । ଜି -୨୦ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ପାରିବ ।

ମାନ୍ୟଗଣ, ଭାରତରେ ଆମେ ଗବେଷଣା ଏବଂ ନବସୃଜନ ଉପରେ ମଧ୍ୟ ଗୁରୁତ୍ୱ ଦେଇଛୁ । ଆମେ ସମଗ୍ର ଦେଶରେ ଦଶ ହଜାର “ଅଟଳ ଟିଙ୍କରିଂ ଲ୍ୟାବ୍‌”  ସ୍ଥାପିତ କରିଛୁ । ଏଗୁଡିକ ଆମ ସ୍କୁଲ ପିଲାମାନଙ୍କ ପାଇଁ ଗବେଷଣା ଏବଂ ଅଭିନବ ନର୍ସରୀ ଭାବରେ କାର୍ଯ୍ୟ କରୁଛନ୍ତି । ଏହି ଲ୍ୟାବ୍ ଗୁଡିକରେ ୭.୫  ଲକ୍ଷ ଛାତ୍ରଛାତ୍ରୀ ୧.୨ ଲକ୍ଷ ଅଭିନବ ପ୍ରକଳ୍ପରେ କାର୍ଯ୍ୟ କରୁଛନ୍ତି । ଜି – ୨୦ ଦେଶଗୁଡିକ, ସେମାନଙ୍କର ନିଜସ୍ୱ ଶକ୍ତି ସହିତ, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବାରେ, ବିଶେଷ କରି ବୈଶ୍ୱିକ ଦକ୍ଷିଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ପାରନ୍ତି । ବୃଦ୍ଧି ପାଉଥିବା ଗବେଷଣା କ୍ଷେତ୍ରରେ ସହଯୋଗ ପାଇଁ ଏକ ମାର୍ଗ  ସୃଷ୍ଟି କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।

ମାନ୍ୟଗଣ, ଆପଣ ମାନଙ୍କର ଏହି ବୈଠକ ଆମ ପିଲା ମାନଙ୍କର ଏବଂ ଯୁବକ ମାନଙ୍କର ଭବିଷ୍ୟତ ପାଇଁ ଅନେକ ମହତ୍ତ୍ୱ ରଖେ । ମୁଁ ଖୁସି ଯେ ଆପଣଙ୍କ ଗୋଷ୍ଠୀ ସବୁଜ ବିକାଶ, ଡିଜିଟାଲ୍ ପରିବର୍ତ୍ତନ ଏବଂ ମହିଳା ସଶକ୍ତିକରଣକୁ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ତ୍ୱରାନ୍ୱିତକାରୀ ଭାବରେ ଚିହ୍ନଟ କରିଛି । ଏହି ସମସ୍ତ ପ୍ରୟାସର ମୂଳ ହେଉଛି ଶିକ୍ଷା । ମୁଁ ନିଶ୍ଚିତ ଯେ ଏହି ଗୋଷ୍ଠୀ ଏକ ସମାବେଶୀ, କାର୍ଯ୍ୟ – ଆଧାରିତ ଏବଂ ଭବିଷ୍ୟତ – ପ୍ରସ୍ତୁତ ଶିକ୍ଷା ଯୋଜନା ସହିତ ଆଗକୁ ବଢ଼ିବ । ବସୁଧୈବ କୁଟୁମ୍ବକମ୍ – ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଦ୍ୱାରା ଏହା ସମଗ୍ର ବିଶ୍ୱକୁ ଉପକୃତ କରିବ । ମୁଁ ସମସ୍ତଙ୍କୁ ଏକ ଫଳପ୍ରଦ ଏବଂ ସଫଳ ବୈଠକର କାମନା କରୁଛି ।