ପଦ୍ମଶ୍ରୀ ରଜତ କରଙ୍କ ବିୟୋଗ

Death of Padma Shri Rajat Kumar Kar

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବିଶିଷ୍ଟ ସାହିତ୍ୟିକ ତଥା ବାଗ୍ମୀ ରଜତ କର ଆଉ ନାହାନ୍ତି । ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ତଥା ପଦ୍ମଶ୍ରୀ ରଜତ କର ଆଜି ରାଜଧାନୀର ଗୋଟିଏ ଘରୋଇ ହସ୍ପିଟାଲରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ବଡ଼ ପୁଅ ରଂଜିତ କର ସୂଚନା ଦେଇଛନ୍ତି।

୧୯୩୪ ମସିହା ଅକ୍ଟୋବର ୨ରେ ଜନ୍ମ ଗ୍ରହଣ କରିଥିବା ରଜତ କର ଜଣେ ଶିକ୍ଷାବିତ, ନାଟ୍ୟକାର ଓ ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା ଭାବେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରାୟ ୭ଟି ନନ୍ ଫିକ୍ସନ ବହି ଓ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅନେକ ପୁସ୍ତକ ରଚନା କରିଥିଲେ।

ଜଗନ୍ନାଥ ସଂସ୍କୃତି ବିଷୟରେ ସମସ୍ତଙ୍କୁ ଦୀର୍ଘ ୬୦ ବର୍ଷ ଧରି ସେ ବିଭିନ୍ନ ଟିଭି ଓ ରେଡିଓରେ ଅବଗତ କରାଉଥିଲେ। ସେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାକୁ ବିଷୟରେ ସମସ୍ତଙ୍କୁ ସକ୍ଷମ ହୋଇଥିଲେ। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ସୁବକ୍ତା ଭାବେ ତାଙ୍କର ଖ୍ୟାତି ରହିଛି।

ଜଗନ୍ନାଥ ଧର୍ମ ଓ ରୀତିନୀତିକୁ ନେଇ ସେ ଅନେକ ସାହିତ୍ୟ ରଚନା କରିଥିଲେ। ୨୦୦୬ରେ ଜନ ଜୀବନରେ ଜଗନ୍ନାଥ, ୨୦୦୮ରେ ଅନନ୍ୟ ଜଗନ୍ନାଥ ଅନୁଭୁତିରେ, ୧୯୭୧ରେ ଅନ୍ଧପୁଟୁଳି, ୧୯୬୭ରେ ଚନ୍ଦନ ହଜୁର, ୧୯୯୯ରେ ଜଣାଣ ଜଣାଉଛି ଜଗନ୍ନାଥଙ୍କୁ, ୧୯୯୯ରେ ବାଇଶି ପାବଚ୍ଛ ଓ ୨୦୦୭ରେ ଜନମାନସରେ ଭଞ୍ଜ ତାଙ୍କ ଦ୍ୱାରା ରଚିତ ପୁସ୍ତକ ବେଶ ଲୋକପ୍ରିୟ ହୋଇପାରିଥିଲା।

ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଓ ମାତାଙ୍କ ନାମ ଇନ୍ଦୁମତୀ ଦେବୀ। ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଓ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ।

ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘ ବର୍ଷ କାମ କରିଥିଲେ ଓ ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଚାକିରିରୁ ଅବସର ଗ୍ରହଣ କରିଥିଲେ ରଜତ କର । ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ସେ ରଚନା କରିଛନ୍ତି।

୨୦୨୧ରେ ଶ୍ରୀ କର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କୁ ୨୦୧୧ରେ ଗୋଦାବରୀଶ ମିଶ୍ର ସମ୍ମାନ,୨୦୦୯ରେ ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ସମ୍ମାନୀତ କରାଯାଇଥିଲା।