୧୫ରୁ ଦାରିଙ୍ଗବାଡି ଇକୋ ରିଟ୍ରିଟ୍

ଦାରିଙ୍ଗବାଡ଼ି: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ହେବ ଇକୋ ରିଟ୍ରିଟ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଗତବର୍ଷ ଠାରୁ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରତି ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀର ପ୍ରସାର ତଥା ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ଦେଶ ବିଦେଶରେ ପ୍ରସାର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଗତ ବର୍ଷ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ସଫଳ ହୋଇଥିବାରୁ ଏହି ବର୍ଷ ପୁଣି ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ପର୍ଯ୍ୟଟନ ଅଧିକାରୀ ଅଞ୍ଜନ ବାରିକ ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ଅଧିନରେ ଥିବା ଜମିରେ ୨୫ଟି ବିଳାସପୂର୍ଣ୍ଣ ତମ୍ଭୁ ନିର୍ମାଣ ହୋଇଛି । ଏହା ଆସନ୍ତା ୧୫ ତାରିଖରେ ଆରମ୍ଭ ହୋଇ ତିନି ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ । ଗତ ବର୍ଷ ଭଳି ଏହି ବର୍ଷ ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାର ପ୍ରକୃତିପ୍ରେମୀ ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଏଠିକାର ଥଣ୍ଡା ପାଗ ଓ ତୁଷାରପାତ ମଜା ନେବାକୁ ଛୁଟି ଆସିବେ ।