ସରକାରୀ ରାସ୍ତାଘାଟରୁ ଲକ୍ଷାଧିକ ଟଙ୍କା କମାଉଛନ୍ତି ବିବାହ ମଣ୍ଡପ

ସରକାରଙ୍କ ରାସ୍ତାକୁ ବ୍ୟବହାର କରିବା ପାଇଁ ଯାନବାହନ ଚାଳକମାନେ ରାସ୍ତା ଟିକସ ଗଣୁଛନ୍ତି…

ଭୁବନେଶ୍ୱର: ଆଜିକାଲି ଘରୋଇ ବିବାହ ମଣ୍ଡପରେ ବାହାଘର, ଭୋଜିଭାତ ଅନୁଷ୍ଠିତ ହେଉଛି । ବିବାହ ଋତୁରେ ବିଏମ୍‌ସି ଓ ଘରୋଇ ବିବାହ ମଣ୍ଡପଗୁଡ଼ିକ ଜାମ ରହୁଛି । ବାହାଘର ଓ ଭୋଜିଭାତ ଦିନ ଉକ୍ତ ମଣ୍ଡପ ନିକଟ ରାସ୍ତା ଦେଇ ଲୋକମାନେ ଯାନବାହନ ଚଳପ୍ରଚଳ କରି ପାରୁନାହାନ୍ତି । ବିବାହ ମଣ୍ଡପରେ ଆୟୋଜିତ ବାହାଘର ଓ ଭୋଜିଭାତକୁ ଆସୁଥିବା ଲୋକମାନେ ରାସ୍ତାକଡ଼ରେ ଯାନବାହନ ରଖିବା ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ନାନା ବାଧା ଉପୁଜୁଛି । ସରକାରଙ୍କ ରାସ୍ତାକୁ ବ୍ୟବହାର କରିବା ପାଇଁ ଯାନବାହନ ଚାଳକମାନେ ରାସ୍ତା ଟିକସ ଗଣୁଛନ୍ତି ।

ଅଥଚ ସରକାରୀ ରାସ୍ତାକୁ ବ୍ୟବହାର କରୁଥିବା ବିବାହ ମଣ୍ଡପ ସଂସ୍ଥା ବିଏମ୍‌ସି ଅଥବା ସାଧାରଣ ପ୍ରଶାସନ ବିଭାଗକୁ ନିର୍ଦ୍ଧାରିତ ଦେୟ ପଇଠ କରୁଛି କି? ସବୁ ବିବାହ ମଣ୍ଡପ ଆୟୋଜକଙ୍କଠାରୁ ବିଏମ୍‌ସି ଓ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଧାରିତ ପରିମାଣର ଶୁଳ୍ପ ଆଦାୟ କରିବା ଜରୁରୀ ହୋଇପଡ଼ିଛି । ଘରୋଇ ଜମିରେ ବିବାହ ମଣ୍ଡପ କରି ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ମାଲିକମାନେ ସରକାରୀ ଜାଗାକୁ ପାର୍କିଂ କାମରେ ବ୍ୟବହାର କଲେ, ଶୁଳ୍କ ଗଣିବାକୁ ବାଧ୍ୟ ରହିବେ ।

ରାଜଧାନୀରେ ପ୍ରାୟ ୨୦୦ରୁ ଅଧିକ ବିବାହ ମଣ୍ଡପ କାମ କରୁଛି । କୌଣସି ବିବାହ ମଣ୍ଡପ ପକ୍ଷରୁ ଲୋକଙ୍କ ଯାନବାହନ ପାର୍କିଂ ସ୍ଥାନ କରାଯାଇନି । ପ୍ରାୟ ସବୁ ବିବାହ ମଣ୍ଡପ ମାଲିକ ରାସ୍ତାକଡ଼ ନଚେତ ସରକାରୀ ଜାଗାକୁ ପାର୍କିଂ ଭାବେ ବ୍ୟବହାର କରୁଛନ୍ତି । ରାସ୍ତା ଉପରେ ବାଣ ଫୁଟାଇ, ନାଚିନାଚି, କାନଫଟା ଡିଜେ ବଜାଇ, ବାହାଘର ଶୋଭାଯାତ୍ରା ଯାଉଛି । ସାଧାରଣ ଲୋକଙ୍କ ଚଳପ୍ରଚଳରେ ବହୁ ଅସୁବିଧା ହେଉଛି ।

ଜିଲ୍ଲା ପ୍ରଶାସନ ଓ ବିଏମ୍‌ସି ସେ ଦିଗରେ କଟକଣା ଲଗାଇବା ଉଚିତ । ରାସ୍ତା ଉପରେ ବାଣ ଫୁଟାଇ ସାଧାରଣ ଲୋକଙ୍କ ଚଳପ୍ରଚଳରେ ବାଧା ସୃଷ୍ଟି କରିବାର ଅଧିକାର କନ୍ୟାପକ୍ଷ କି ବରପକ୍ଷ ପାଇଲେ କୋଉଠୁ? ଭାରତର ସମ୍ବିଧାନ କହୁଛି, ସର୍ବସାଧାରଣଙ୍କ ପାଇଁ ବ୍ୟବହୃତ ସ୍ଥାନକୁ କୌଣସି ବ୍ୟକ୍ତି ବ୍ୟକ୍ତିଗତ କାମରେ ବ୍ୟବହାର କରିପାରିବେନି । ଏବେ ସରକାରୀ ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରି ବିବାହ ଶୋଭାଯାତ୍ରା ଯିବା କେତେଦୂର ଯୁକ୍ତିଯୁକ୍ତ, ସାଧାରଣ ଲୋକମାନେ ବିଚାର କରନ୍ତୁ ।