ଫଗୁଣ ମାସ କୃଷ୍ଣପକ୍ଷ ବିଜୟ ଏକାଦଶୀ ବ୍ରତ କରନ୍ତୁ!

ଯୁଧିଷ୍ଠିର ପଚାରିଲେ, ‘ବାସୁଦେବ । ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀକୁ କେଉଁ ନାମ ଦିଆଯାଇଛି? ଦୟା କରି କୁହନ୍ତୁ ।’ ଭଗବାନ ଶ୍ରୀକୃଷ୍ଣ କହିଲେ, ଯୁଧିଷ୍ଠିର । ଦିନେ ନାରଦ କମଳାସନ ବିରାଜିତ ବ୍ରହ୍ମଦେବଙ୍କୁ ଏହି ପ୍ରଶ୍ନ ପଚାରିଥିଲେ । ବ୍ରହ୍ମଦେବ କହିଲେ, ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ‘ବିଜୟା ଏକାଦଶୀ’ କୁହାଯାଏ । ଏହି ଏକାଦଶୀ ପାଳନ କଲେ, ସର୍ବ ପାପରୁ ନିବାରଣ ମିଳିଥାଏ । ଏକାଦଶୀ ବ୍ରତଟି ବହୁ ପ୍ରାଚୀନ ଓ ପବିତ୍ର ପାପନାଶକ । ଏହି ଏକାଦଶୀ ରାଜାଙ୍କୁ ବିକ୍ରମ ଓ ସାହସ ପ୍ରଦାନ କରିଥାଏ ।

ପ୍ରଭୁ ଶ୍ରୀରାମଚନ୍ଦ୍ର ପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ସାଙ୍ଗରେ ଧରି ଚଉଦ ବର୍ଷ ପାଇଁ ବନବାସରେ ଗଲେ । ଲଙ୍କାପତି ରାବଣ ତପସ୍ୱିନୀ ସୀତାଙ୍କୁ ଅପହରଣ କଲା । ବ୍ୟାକୁଳ ମନରେ ଶ୍ରୀରାମ ସୀତାଙ୍କୁ ବନସାରା ଖୋଜିବାକୁ ଲାଗିଲେ । ବେଶ କିଛିବାଟ ଯିବା ପରେ ଜଟାୟୁଙ୍କ ସହିତ ତାଙ୍କର ଭେଟ ହେଲା । ସମୟ ଚକ୍ରରେ ପଡ଼ି ଶ୍ରୀରାମ କବନ୍ଧ ରାକ୍ଷସକୁ ବଧ କଲେ । ସୁଗ୍ରୀବ ସହିତ ମିତ୍ରତା କଲେ । ବାନରସେନାକୁ ଏକାଠି କଲେ । ବାନରଶ୍ରେଷ୍ଠ ହନୁମାନ ଲଙ୍କା ଗମନ କଲେ । ସେଠାରେ ମା’ ସୀତାଙ୍କୁ ଦର୍ଶନ କରି ଫେରିଆସିଲେ ।

ହନୁମାନଙ୍କ ନିକଟରୁ ପତ୍ନୀ ସୀତାଙ୍କ ବିଷୟ ଶୁଣି ଶ୍ରୀରାମଚନ୍ଦ୍ର ଶ୍ରୀଲଙ୍କା ଯିବାକୁ ମନସ୍ଥ କଲେ । ବାନରସେନା ଧରି ସମୁଦ୍ର କୂଳରେ ପହଂଚିଲେ । ବାନରସେନା ସମେତ ନିଜେ ବିଶାଳ ସମୁଦ୍ରକୁ କିପରି ପାର ହେବେ, ଲକ୍ଷ୍ମଣକୁ ପଚାରିଲେ । ଲକ୍ଷ୍ମଣ କହିଲେ, ମୋ ଜାଣତରେ ଏଠାରୁ ଖଣ୍ଡେ ଦୂରରେ ମହାତ୍ମା ବକଦାଲଭ୍ୟ ରହୁଛନ୍ତି । ତାଙ୍କୁ ପଚାରିଲେ, ସେ କହିପାରିବେ ।

ଅନୁଜ ଲକ୍ଷ୍ମଣ ଓ ହନୁମାନଙ୍କ ସହିତ ଶ୍ରୀରାମ ବକଦାଲଭ୍ୟଙ୍କ ଆଶ୍ରମ ପହଂଚିଲେ । ମୁନିଶ୍ରେଷ୍ଠ! କୃପା କରି ମୋତେ ସମୁଦ୍ର ଲଂଘନ ଭେଦ କୁହନ୍ତୁ ।

ମୁନି ବକଦାଲଭ୍ୟ ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ବ୍ରତ କରି ପ୍ରଭୁ ନାରାୟଣଙ୍କ ନିକଟରୁ ବିଜୟ ଆଶୀର୍ବାଦ ନେବାକୁ ପରାମର୍ଶ ଦେଇଥିଲେ ।

ବକଦାଲଭ୍ୟଙ୍କ ପରାମର୍ଶ ମୁତାବକ ଶ୍ରୀରାମଚନ୍ଦ୍ର ସାଗରକୂଳରେ ଏକ କଳସ ପ୍ରତିଷ୍ଠା କରି ବିଧି ମୁତାବକ ପ୍ରଭୁ ନାରାୟଣଙ୍କୁ ଆରାଧନା କରିଥିଲେ । ବିଜୟ ଏକାଦଶୀ ଦିନ ପ୍ରଭୁ ନାରାୟଣଙ୍କ ଆଶୀର୍ବାଦ ପାଇବା ପରେ ଶ୍ରୀରାମ ସମୁଦ୍ରରେ ସେତୁବନ୍ଧ ପାଇଁ ସାହସ କଲେ ।