ରାମ ଅବତାର

ଅବତାର..

ଅବତାରର ଅର୍ଥ ହେଲା – ଅବତରଣ କରିବା , ତଳକୁ ଓହ୍ଲାଇବା , ବ୍ୟକ୍ତ ହେବା, ଆବିର୍ଭାବ ହେବା । ଭଗବାନଙ୍କ ଦ୍ୱାରା ଅବତାର ଗ୍ରହଣ କରିବାର ଅନେକ କାରଣ କୁହାଯାଏ । ପୃଥିବୀର ଭାର କମ କରିବା ମଧ୍ୟ ଏକ କାରଣ ଅଟେ । ଯେତେବେଳେ ଧର୍ମର ହାନି ଓ ଅଧର୍ମର ବୃଦ୍ଧି ହୁଏ , ସେତେବେଳେ ଭଗବାନ ଭକ୍ତଙ୍କୁ ରକ୍ଷା କରିବା ଓ ଧର୍ମ ସ୍ଥାପନା କରିବା ପାଇଁ ଅବତାର ନିଅନ୍ତି । ପୁରାଣ କହେ, ମନୁଷ୍ୟ ସଂସାରରେ ଅଜ୍ଞାନତା ବଶତଃ କାମନା ଓ କର୍ମର ବନ୍ଧନରେ ବାନ୍ଧିହୋଇ ଦୁଃଖକଷ୍ଟ ଭୋଗିଥାଏ । ସେମାନଙ୍କୁ ସ୍ମରଣ କରାଇବା ପାଇଁ ଲୀଳା କରିବାକୁ ଭଗବାନ ଅବତାର ହୁଅନ୍ତି । ଭକ୍ତମାନେ ବାରମ୍ବାର ଭଗବାନ କଥା ଶ୍ରଵଣ , କୀର୍ତ୍ତନ ଓ ସ୍ମରଣ କରି ଆନନ୍ଦିତ ହୁଅନ୍ତୁ ଓ ଭବସାଗରରୁ ପାରି ହୋଇଯାଆନ୍ତୁ , ଏହା ମଧ୍ୟ ଅବତାର ନେବାର ଏକ କାରଣ ଅଟେ ।

ଅବତାର ସମୟରେ ଭଗବାନଙ୍କ ଶରୀର ଆମ ଶରୀର ପରି ପଞ୍ଚଭୂତରେ ଗଠିତ ଭୌତିକ ଶରୀର ହୋଇ ନ ଥାଏ । ଭଗବାନ କର୍ମ ବନ୍ଧନରେ ପଡି ମାତା ଗର୍ଭରୁ ଜନ୍ମ ହୁଅନ୍ତି ନାହିଁ ବରଂ ପ୍ରକଟ ହୋଇଥାନ୍ତି । ଜନ୍ମ ହେଲାପରି ଆମକୁ ପ୍ରତୀତି ହୋଇଥାନ୍ତି । ଲୀଳା ସମାପ୍ତ ହେବା ପରେ ଭଗବାନ ଶଶରୀରେ ନିଜ ଧାମକୁ ଫେରିଯାନ୍ତି। ଭଗବାନଙ୍କ ଶରୀରରେ ଶରୀର -ଶରୀରୀର ଭେଦ ନ ଥାଏ । ସାଧାରଣ ଶରୀରରେ ଯେପରି ଅଭିମାନୀ ଜୀଵାତ୍ମା ଥାଏ ,ସେପରି ଭଗବାନଙ୍କ ଶରୀରରେ କୌଣସି ଅଭିମାନୀ ଜୀବାତ୍ମା ନ ଥାଏ । ବୁଝିବା କଥା ଏଇଆ ଯେ ଯଦି ଜଣେ ଜୀବନ୍ମୁକ୍ତ ପୁରୁଷ ଦେହ ଅଭିମାନ ବିନା ସମସ୍ତ କାର୍ଯ୍ୟ କରିପାରନ୍ତି , ତେବେ ଭଗବାନ କାହିଁକି କରିପାରିବେ ନାହିଁ ?ଅବତାର କାଳରେ ଭଗବାନଙ୍କ ଶରୀର ଦିବ୍ୟ ହୋଇଥାଏ ଓ ପରମାତ୍ମାଙ୍କ ସତ୍ତା ସ୍ଫୁର୍ତ୍ତି ଦ୍ୱାରା ହିଁ ତାଙ୍କର ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥାଏ କିମ୍ବା ଏହା ବି କୁହାଯାଇପାରେ ଯେ ଏହି ଶରୀରର ସମସ୍ତ କାର୍ଯ୍ୟ ପରମାତ୍ମାଙ୍କ ଦ୍ୱାରା କରାଯାଏ । ବର୍ତ୍ତମାନ ଏହା ବି ପ୍ରଶ୍ନ ଉଠିପାରେ ଯେ ପରମାତ୍ମା ତ ସର୍ବତ୍ର ବିଦ୍ୟମାନ । ସେ ପୁଣି ଏକ ଦେଶୀୟ କିପରି ହୋଇପାରିବେ, ଗୋଟିଏ ଶରୀରରେ କିପରି ରହିପାରିବେ ? ଏହାକୁ ଏମିତି ବୁଝିବାକୁ ପଡିବ ଯେ ଯେଉଁଠାରେ କାଷ୍ଠ ଅଛି , ଅଗ୍ନି ମଧ୍ୟ ସେଠାରେ ନିରାକାର ରୂପରେ ଉପସ୍ଥିତ ଅଛି କିନ୍ତୁ କୌଣସି ଗୋଟିଏ ସ୍ଥାନରେ ଅଗ୍ନି ପ୍ରଜ୍ଜ୍ଵଳିତ ହେବାର ଦେଖାଗଲେ ଏହା ବୁଝିବା ଭୂଲ୍ ହେବ ଯେ ଅଗ୍ନି ସେହିଠାରେ ହିଁ ଅଛି ଓ ଅନ୍ୟ ସ୍ଥାନର କାଠରେ ନାହିଁ । ସେହିପରି ଭଗବାନ ସର୍ବବ୍ୟାପୀ ହୋଇଥିବାରୁ ସର୍ବତ୍ର ସାମାନ୍ୟ ରୂପରେ ବିଦ୍ୟମାନ କିନ୍ତୁ ଅବତାର ଶରୀରରେ ବିଶେଷ ରୂପରେ ଥାଆନ୍ତି । ଯେପରି ଜୀଵାତ୍ମା ଧାରଣ କରିଥିବା ଶରୀରରେ ପୂର୍ଣ୍ଣ ଭାବରେ ବ୍ୟାପ୍ତ ଥାଏ କିନ୍ତୁ ବିଶେଷ ରୂପରେ ହୃଦୟରେ ବାସ କରେ , ସେହିପରି ସର୍ବବ୍ୟାପୀ ପରମାତ୍ମା ବିଶେଷ ରୂପରେ ଅବତାର ହେତୁ ଏକ ଶରୀର ଧାରଣ କରନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ଅନ୍ୟ ସବୁ ସ୍ଥାନ ପରମାତ୍ମା ଶୂନ୍ୟ ହୋଇଗଲା ।

ଅବତାର ଅନେକ ପ୍ରକାର ହୋଇଥାଏ । ଭଗବାନଙ୍କର ଅମାପ ଶକ୍ତି କିନ୍ତୁ ପୃଥିବୀରେ କେବଳ ସର୍ବାଧିକ 16 କଳା ବିଶିଷ୍ଟ ଅବତାର ହିଁ ପ୍ରକଟ ହୋଇଥାନ୍ତି । କଳା ନେଇ ଜନ୍ମଗ୍ରହଣ କଲେ ତାହାକୁ କଳାବତାର କୁହାଯାଏ । କଳା କମ ହେଲେ ଅଂଶାବତାର କୁହାଯାଏ । ସମସ୍ତ ଅବତାରରେ ଶକ୍ତି ସମାନ ହିଁ ଥାଏ । ଯେଉଁ କାଳରେ ଯେତିକି ଶକ୍ତିର ଆବଶ୍ୟକ ହୁଏ , ସେତିକି ହିଁ ଶକ୍ତି ପ୍ରୟୋଗ କରାଯାଏ । କୃଷ୍ଣାବତାରରେ 16 କଳା , ରାମ ଅବତାର , ମୋହିନୀ ଅବତାର , ପର୍ଶୁରାମ ଅବତାରରେ 9 କଳା , ଏହିପରି ସବୁ ଅବତାର ହୋଇଥାନ୍ତି ।

ପୂର୍ଣ୍ଣାବତାରରେ ଭଗବାନ ଚତୁର୍ବ୍ୟୁହରେ ଅବତରଣ କରନ୍ତି । କୃଷ୍ଣ , ବଳରାମ , ପ୍ରଦ୍ୟୁମ୍ନ ଓ ଅନିରୁଦ୍ଧ – ଏହା କୃଷ୍ଣାବତାରର ବ୍ୟୁହ ଏବଂ ରାମ , ଲକ୍ଷ୍ମଣ , ଭରତ ଓ ଶତ୍ରୁଘ୍ନ – ରାମ ଅବତାରର ବ୍ୟୁହ । ଗୁଣ ଉପରେ ନିର୍ଭର କରି ଗୁଣାବତାର ହୋଇଥାଏ । ବିଷ୍ଣୁ ସତଗୁଣୀ, ବ୍ରହ୍ମା ରଜୋ ଗୁଣୀ ଓ ଶଙ୍କର ତମୋଗୁଣୀ । ଏଗୁଡିକ ସ୍ଥାୟୀ ଅବତାର । ପ୍ରତି ତ୍ରେତୟା ଯୁଗରେ ରାମ ଅବତାର ଓ ଦ୍ୱାପର ଯୁଗରେ କୃଷ୍ଣ ଅବତାର ହୋଇଥାନ୍ତି । ଏହାକୁ ଯୁଗାବତାର କୁହାଯାଏ ।

ସବୁଠାରୁ ବଡ଼ କଥା ଯେ ସମସ୍ତଙ୍କ ହୃଦୟରେ ଅନ୍ତର୍ଯ୍ୟାମୀ ଭଗବାନ ବାସ କରନ୍ତି । ସେ ଭକ୍ତଙ୍କୁ ସେମାନଙ୍କର କଳ୍ପନା ଅନୁସାରେ ଦର୍ଶନ ଦିଅନ୍ତି , ତାଙ୍କ ହୃଦୟର ଭାବକୁ ବୁଝନ୍ତି ଓ ଅନୁଭବରେ ମଧ୍ୟ ଆସନ୍ତି । ତାହାକୁ ମଧ୍ୟ ଆମେ ଅବତାର ବୋଲି ହିଁ ବୁଝିବା। ହୃଦୟରେ ବାସ କରୁଥିବା ଭଗବାନ ବାହାରେ ପ୍ରକଟ ହୋଇଥିବା ଅବତାରଙ୍କ ଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି । ନିଜର କାର୍ଯ୍ୟ ସମାପ୍ତ କରି ଅବତାର ଶଶରୀରେ ପୁଣି ନିଜଲୋକକୁ ଫେରିଯାଆନ୍ତି ।