ରାମ ନବମୀ: ମହାବିଷ୍ଣୁଙ୍କର ସପ୍ତମ ଅବତାର ପ୍ରଭୁ ଶ୍ରୀରାମଚନ୍ଦ୍ର

ପରିଣାମ ସ୍ୱରୂପ ବଡ଼ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମନେଲେ ପ୍ରଭୁ ରାମ….

ପ୍ରତିବର୍ଷ ଚୈତ୍ର ଶୁକ୍ଳପକ୍ଷ ନବମୀ ତିଥିକୁ ଶ୍ରୀରାମ ନବମୀ ଭାବେ ପାଳନ କରାଯାଏ । ଚଳିତ ମାର୍ଚ୍ଚ ୩୦ ତାରିଖ ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଜନ୍ମଦିନ ପାଳନ କରାଯାଉଛି । ସାରାବିଶ୍ୱରେ ବସବାସ କରୁଥିôବା ପ୍ରତ୍ୟେକ ହିନ୍ଦୁର ଆରାଧ୍ୟ ହେଉଛନ୍ତି ରଘୁକୁଳ ତିଳକ ଦଶରଥ ସୁତ କୌଶଲ୍ୟା ନନ୍ଦନ ଶ୍ରୀରାମଚନ୍ଦ୍ର । ଦୟା, କ୍ଷମା, ପ୍ରେମ ଓ କରୁଣାର ଅପୂର୍ବ ଅବତାର ଶ୍ରୀରାମଚନ୍ଦ୍ର ।

ଅଯୋଧ୍ୟାର ରାଜା ଦଶରଥଙ୍କର କୌଶଲ୍ୟା, କୈକେୟୀ ଓ ସୁମିତ୍ରା ନାମରେ ତିନିଜଣ ରାଣୀ ଥିଲେ । ବିବାହର ବହୁ ବର୍ଷ ପରେ ମଧ୍ୟ ତିନିରାଣୀଙ୍କର କୌଣସି ସନ୍ତାନ ହେଲେ ନାହିଁ । କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଗ୍ରହଣ କରି ରାଜା ଦଶରଥ ପୁତ୍ରକାମେଷ୍ଠି ଯଜ୍ଞ କଲେ । ଯଜ୍ଞଶେଷରେ ରାଜା ଦଶରଥ ପୁତ୍ର ଅଭିଳାଷ କରି ତାଙ୍କର ତିନିରାଣୀଙ୍କୁ ପାୟସ ପରସିଲେ । ପରିଣାମ ସ୍ୱରୂପ ବଡ଼ରାଣୀ କୌଶଲ୍ୟାଙ୍କ ଗର୍ଭରୁ ଜନ୍ମନେଲେ ପ୍ରଭୁ ରାମ । ମଝିଆଁ ରାଣୀ କୈକେୟୀଙ୍କ ଗର୍ଭରୁ ଜନ୍ମନେଲେ ଭରତ । ସାନରାଣୀ ସୁମିତ୍ରାଙ୍କ ଗର୍ଭରୁ ଜନ୍ମନେଲେ ଦୁଇପୁତ୍ର ଲକ୍ଷ୍ମଣ ଓ ଶତ୍ରୁଘ୍ନ ।

ଏହିଦିନଟିକୁ ଅତି ଜାକଜମକରେ ପାଳନ କରାଯାଏ । ପ୍ରତି ହିନ୍ଦୁ ପରିବାରର ପୁରୁଷ ଓ ମହିଳାମାନେ ପ୍ରତ୍ୟୁଷରୁ ସ୍ନାନାଦି କର୍ମ ସାରି ଫଳଫୁଲ ଓ ନାନାଦି ଭୋଗ ସାଙ୍ଗରେ ଧରି ରାମ ମନ୍ଦିରକୁ ଯାଇଥାନ୍ତି । ଅଧିକାଂଶ ଶ୍ରଦ୍ଧାଳୁ ଉପବାସ ବ୍ରତ କରିଥାନ୍ତି । କେବଳ ସେତିକି ନୁହେଁ, ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇଥାଏ ବାସନ୍ତିକ ଦୁର୍ଗାପୂଜା ।

ବାସନ୍ତିକ ଦୁର୍ଗାପୂଜାର ନବମୀ ଦିନ ହିଁ ରାମ ନବମୀ ଭାବେ ଖ୍ୟାତ । କୁହାଯାଏ, ପ୍ରଭୁ ନାରାୟଣଙ୍କର ସପ୍ତମ ଅବତାର ହେଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର । ଋତୁରାଜ ବସନ୍ତ କାଳରେ ପାଳିତ ରାମ ନବମୀର ସାରାଂଶ ହେଉଛି ହିଂସା ଉପରେ ଅହିଂସାର ବିଜୟ । ମନ୍ଦ ଉପରେ ଭଲର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ ।