ଓଡ଼ିଶାର ହକି ବିଶ୍ୱକପ୍ ନିଶା ଆଜିର ନୁହେଁ

ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ ଦ୍ୱିତୀୟ ଥର ପାଇଁ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜନ..

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଦ୍ୱିତୀୟ ଥର ପାଇଁ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରି ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ୨୦୧୮ ହକି ବିଶ୍ୱକପ୍ ସଫଳ ଆୟୋଜନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଓଡ଼ିଶାର ବିକାଶ ମନ୍ତ୍ର ରୂପେ ବ୍ୟବହାର କରିଛନ୍ତି । ଚଳିତ ବର୍ଷ ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍ ଖେଳାଯିବ । ଓଡ଼ିଶାର ହକି ବିଶ୍ୱକପ୍ ଆୟୋଜନ ନିଶା ନୂଆ ହୋଇପାରେ । ମାତ୍ର ହକି ପ୍ରୀତି ପ୍ରାୟ ଚାରି ଦଶନ୍ଧିର ।

୧୯୮୨ ମସିହାରେ କୁଆଲାଲୁମ୍ପୁରରେ ଅନୁଷ୍ଠିତ କନିଷ୍ଠ ପୁରୁଷ ହକି ବିଶ୍ୱକପରେ ଭାରତୀୟ ଦଳରେ ଓଡ଼ିଶାର ପ୍ରଥମ ଖେଳାଳି ପିଟର ତିର୍କୀ ସାମିଲ ହୋଇଥିଲେ । ବିଶ୍ୱକପ୍ରେ ତାଙ୍କର ଚମକ୍ରାର ପ୍ରଦର୍ଶନ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଡିଫେଣ୍ଡର ଭାବେ ପିଟରଙ୍କ ହକି ପ୍ରତିଭାକୁ ସମସ୍ତେ ଚିହ୍ନି ପାରିଥିଲେ । ମାତ୍ର ଜାତୀୟ କ୍ରୀଡ଼ା ରାଜନୀତିରେ ଓଡ଼ିଶା ସବୁବେଳେ ବଳି ପଡ଼ିଛି । ସେଥିରୁ ପିଟର ବାଦ୍ ନପଡ଼ିବେ କେମିତି? ରାଜନୀତିର ହୀନ ଷଡ଼ଯନ୍ତ୍ରର ଶିକାର ହୋଇ ପିଟର ଜାତୀୟ ହକି ଦଳରେ ସ୍ଥାନ ପାଇଲେନି । ମାତ୍ର କୁଆଲାଲୁମ୍ପୁର ଗ୍ରାଉଣ୍ଡରେ ତାଙ୍କ ସହିତ ଖେଳିଥିବା ଅନ୍ୟ ରାଜ୍ୟର ଖେଳାଳି ମହିପାଲ ସିଂହ, ସୁବ୍ରମଣ୍ୟମ, ସୁଜିତ କୁମାର, ଟିକନ ସିଂହ, ନୀଳକମଳ ସିଂହ, ମହମ୍ମଦ ନଈମ ପ୍ରମୁଖ ଜାତୀୟ ଦଳରେ ସାମିଲ ହୋଇଥିଲେ ।

ଭାରତର ବରିଷ୍ଠ ହକି ଦଳରେ ପିଟରଙ୍କୁ ସୁଯୋଗ ମିଳିଳାନି । କିନ୍ତୁ ତାଙ୍କ ପ୍ରତିଭାକୁ ଓଡ଼ିଶା ବ୍ୟବହାର କରିଥିଲା । ସେଲ ହକି ଏକାଡେମୀରେ ତାଙ୍କର ଯୋଗଦାନ ବହୁ ହକି ପ୍ରତିଭା ସୃଷ୍ଟି କରିଥିଲା । ଭାରତର ହକି ରାଜନୀତି ଏତେ ତଳକୁ ଚାଲି ଯାଇଥିଲା ଯେ ଏକ ସମୟରେ ୟୁପିର ୧୦ ଜଣ ଖେଳାଳି ଟିମରେ ସ୍ଥାନ ପାଇଥିଲା ବେଳେ ଅନ୍ୟ ରାଜ୍ୟର ଖେଳାଳି ଭାବେ ଏକମାତ୍ର ପିଟର ସ୍ଥାନ ପାଇଥିଲେ । ଏଭଳି ଏକ ପ୍ରତିଭାକୁ ବରିଷ୍ଠ ଦଳରୁ ବାଦ ଦିଆଯିବା ଷଡ଼ଯନ୍ତ୍ର ନୁହେଁ ତ ଆଉ କ’ଣ?

୧୯୮୧ରୁ ୧୯୯୧ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଓଡ଼ିଶା ଦଳକୁ ପିଟର ପ୍ରତିନିଧିତ୍ୱ କରିଥିଲେ । ୧୯୯୫ରେ ଦିଲ୍ଲୀପ ତିର୍କୀଙ୍କ ଆବିର୍ଭାବ ଓଡ଼ିଶା ହକିକୁ ନୂଆ ମୋଡ଼ ଦେଲା । ଓଡ଼ିଶାର ବହୁ ହକି ପ୍ରତିଭା ଜାତୀୟ ଦଳରେ ସାମିଲ ହୋଇ କ୍ରୀଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀପ ତିର୍କୀଙ୍କ ଛଡ଼ା ପ୍ରବୋଧ ତିର୍କୀ, ଇଗ୍ନେଶ ତିର୍କୀ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଜ୍ୟୋତି ସୁନୀତା କୁଲୁ, ସୁଭଦ୍ରା ପ୍ରଧାନ ଓ ସୁଚିତ୍ରା ଲାକ୍ରା, ଦୀପଗ୍ରେସ ଏକ୍କା ଭିନ୍ନଭିନ୍ନ ସମୟରେ ଭାରତୀୟ ହକି ଦଳର ନେତୃତ୍ୱ ନେଇଛନ୍ତି । ଏବେ ସୁଦ୍ଧା ଓଡ଼ିଶାର ୬ ଜଣ ପୁରୁଷ ଓ ୪ ଜଣ ମହିଳା ହକି ଖେଳାଳି ଅଲିମ୍ପିକ୍ସ କ୍ରୀଡ଼ାରେ ଭାଗ ନେଇଛନ୍ତି । ଏ ଯାବତ୍ ଓଡ଼ିଶାର ପ୍ରାୟ ୭୫ ଜଣ ଖେଳାଳି ଜାତୀୟ ସ୍ତରରେ ଖେଳିବାର ଗୌରବ ପାଇଛନ୍ତି ।