ଆଦରଣୀୟ ‘ଖୋକା ଭାଇ’

ଅକ୍ଷୟ ମହାନ୍ତି
ସାମସମୟିକ କାଳର ସାହିତ୍ୟ, ସ˚ଗୀତ ଓ ଚଳଚ୍ଚିତ୍ର ଦୁନିଆକୁ ଗଭୀର ଭାବେ ପ୍ରଭାବିତ କରିଥିବା ମହାନ୍‌ ଓଡ଼ିଆ ଅକ୍ଷୟ ମହାନ୍ତି(ଜନ୍ମ: ୧୨.୧୦.୧୯୩୭; ମୃତ୍ୟୁ: ୧୭.୧୧.୨୦୦୨); ସେ ସମସ୍ତଙ୍କ ଆଦରଣୀୟ ‘ଖୋକା ଭାଇ’। ସେ ଥିଲେ ଏକଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ଗୀତିକାର, ସ˚ଗୀତକାର, ଗାୟକ ଓ ଅଭିନେତା। ସ˚ଗୀତରେ ବିଧିବଦ୍ଧ ତାଲିମ ନ ନେଇ ପ୍ରସିଦ୍ଧ ହୋଇଥିବା ସ˚ଗୀତଜ୍ଞ ସେ। ହିନ୍ଦୀ ଫିଲ୍ମ ଗୀତ ଗାଇଗାଇ ଆରମ୍ଭ ହୋଇଥିଲା, ତାଙ୍କର ଗାୟକ ଜୀବନ। ‘ଦୁନିଆ କେ ରଖଵାଲେ..’ ଗାଇ ସେ ସ୍କୁଲ୍‌ରେ ପୁରସ୍କାର ପାଇଥିଲେ। ଶିଶୁ କଣ୍ଠ ଶିଳ୍ପୀ ଭାବେ ‘ଆକାଶବାଣୀ’ ସହ ତାଙ୍କର ସ˚ପର୍କ ପରବର୍ତ୍ତୀ କାଳରେ ସୁଦୃଢ଼ ହୋଇଥିଲା। ଭଉଣୀ ସୁଲୋଚନାଙ୍କ ସ˚ଗୀତ ଶିକ୍ଷାରୁ ଆପେ ଆପେ କିଛି ଗ୍ରହଣ କରି ନିଜକୁ ସ˚ଗୀତମୟ କରିବାର ଦୁର୍ବାର ପ୍ରଚେଷ୍ଟା ପିଲାଦିନରୁ ତାଙ୍କ ମନ ଓ ହୃଦୟରେ ବସାବାନ୍ଧିଥିଲା। ୧୯୪୮ରେ ସେ ଆକାଶବାଣୀର ଶିଶୁ ଶିଳ୍ପୀ ଭାବେ ଏବ˚ ୧୯୫୫ରେ କଳାକାର ଭାବେ ସ୍ବୀକୃତି ଲାଭକରିଥିଲେ। ୧୯୫୬ରେ ରେଭେନ୍‌ସା ମହାବିଦ୍ୟାଳୟରୁ ଗଣିତରେ ସ୍ନାତକ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରିରେ ଯୋଗଦେଇଥିଲେ।

ହେଲେ, ସ˚ଗୀତ ପାଇଁ ୧୯୬୩ରେ ଚାକିରିରୁ ଇସ୍ତଫା ଦେଇଥିଲେ। ସ୍ବାଭିମାନୀ ଖୋକା ଭାଇ ସାତ ବର୍ଷ ପରେ ଚାକିରି ଛାଡ଼ି କଲମ ଓ ସ˚ଗୀତକୁ ପୂର୍ଣ୍ଣ ସମୟ ଦେଇଥିଲେ। ସେ ୧୨୯ଟି ଓଡ଼ିଆ ଫିଲ୍ମରେ ଗୀତ ଗାଇଥିବା, ୭୫ଟି ଫିଲ୍ମ ପାଇଁ ସ˚ଗୀତ ନିର୍ଦେଶନା ଦେଇଥିବା, ୯୨ଟି ଫିଲ୍ମ ପାଇଁ ଗୀତ ଲେଖିଥିବା, ୩ଟି ଫିଲ୍ମରେ ଅଭିନୟ କରିଥିବା ଓ ଗୋଟିଏ ଫିଲ୍ମର(ଯୁଗ୍ମ ଭାବେ) ନିର୍ଦେଶନା ଦେଇଥିବା ଜଣାଯାଏ। ଭଜନଠାରୁ ଆରମ୍ଭ କରି ଆଧୁନିକ ସ˚ଗୀତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ତାଙ୍କର ପ୍ରବେଶ ଥିଲା। ୧୯୫୭ରେ ମୁକ୍ତିଲାଭ କରିଥିବା ‘ମଲାଜହ୍ନ’ ଚଳଚ୍ଚିତ୍ର ମାଧ୍ୟମରେ ତାଙ୍କର ସିନେମା ଗାୟକ ଜୀବନ ଆରମ୍ଭ ହୋଇଥିଲା। ସେହି ପରି ଗୀତିକାର ଜୀବନ ଆରମ୍ଭ ହୋଇଥିଲା ‘ମାଆ’ ଚଳଚ୍ଚିତ୍ରର ‘ଗୋରୀ ଗୋରୀ ଗୋରୀ ଆଗୋ ନୀଳପରୀ’ ମାଧ୍ୟମରେ। ତାଙ୍କର ଗୀତ ଓ ଗୀତି କବିତା ସ˚ଖ୍ୟା ଅନେକ। ପ୍ରକାଶିତ ଗୀତିଗ୍ରନ୍ଥ ମଧ୍ୟରେ ‘ଏଇ କଥା ରହିଲା’, ‘ଗୀତି’ ଓ ‘ମଧୁଶାଳା’ ଅନ୍ୟତମ।

କେବଳ ସ˚ଗୀତ ନୁହେଁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେ ଅପ୍ରତିଦ୍ବନ୍ଦ୍ବୀ ସ୍ରଷ୍ଟା। ‘ସ୍ବୀକାରୋକ୍ତି’ ଅକ୍ଷୟଙ୍କର ପ୍ରଥମ ଉପନ୍ୟାସ। ୧୯୭୧-୭୨ରେ ‘ନବରବି’ର ପୂଜା ସ˚ଖ୍ୟାରେ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଥିଲା। ୧୯୮୬ରେ ଏହି ଉପନ୍ୟାସ ‘ଜାୟା ନୁହେଁ ଜୟା’ ନାମରେ ପୁସ୍ତକ ଭାବେ ପ୍ରକାଶିତ ହୋଇଥିଲା। ଏହାର ନାୟକ ଆର୍ଯ୍ୟଦାସ ଓ ନାୟିକା ଜୟା। ତାଙ୍କର ଅନ୍ୟ ପ୍ରସିଦ୍ଧ ଉପନ୍ୟାସ- ‘ଗୋଟିଏ କୁହୁ ଅନେକ ଉହୁ’, ‘ଅଫେରା ନଦୀ’, ‘ନୁନ୍‌ ସୋ’, ‘ଗାୟକ’, ‘ବାମପନ୍ଥୀ’। ସେହି ପରି ତାଙ୍କର ପ୍ରସିଦ୍ଧ ଗଳ୍ପ ସ˚କଳନ ହେଉଛି- ‘ବିଚରା’, ‘ନଗ୍ନ ମୋନାଲିସା’, ‘ଅନେଶତ ରାଣୀ’। ‘ଅନେଶତ ରାଣୀ’ ଅନ୍ତର୍ଭୁକ୍ତ ‘ୱାଇପର‌୍‌’ ଗପଟି ହିନ୍ଦୀରେ ଅନୂଦିତ ହେବା ପରେ ସାରା ଭାରତରେ ସେ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଆ˚ଶିକ ଆତ୍ମଚରିତମୂଳକ ଉପନ୍ୟାସ- ‘ଆର୍ଯ୍ୟଦାସର ଆତ୍ମଲିପି’ ଓ ‘ଆର୍ଯ୍ୟଦାସର ଶେଷଲିପି’। କଟକ ସହର ଅନ୍ତର୍ଗତ ଜଗନ୍ନାଥବଲ୍ଲଭରେ ଜନ୍ମ ହୋଇଥିଲେ ଖୋକା ଭାଇ। ଚାନ୍ଦୋଳ ନିକଟବର୍ତ୍ତୀ ବାଙ୍କିମୁଣ୍ତାଇ ହେଉଛି, ତାଙ୍କ ଗଁା।