ସିଡିଏସ୍‌ ପରୀକ୍ଷାରେ ଦେଶରେ ଟପର୍‌ ଓଡ଼ିଆ ଝିଅ


ଢେଙ୍କାନାଳ(ଏସ୍ ନ୍ୟୁଜ): ମାତ୍ର ୨୦ବର୍ଷ ବୟସରେ ସର୍ବଭାରତୀୟ ସଂଯୁକ୍ତ ରକ୍ଷା ସେବା (କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍‌-୨) ମହିଳା ବର୍ଗରେ ଅଦିତି ଟପର୍‌ ହୋଇଛନ୍ତି ଓଡ଼ିଆ ଝିଅ । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ନାଧରା ହେଉଛି ଅଦିତିଙ୍କ ଗାଁ। କେବଳ ଢେଙ୍କାନାଳ ଜିଲ୍ଲା ପାଇଁ ନୁହେଁ, ରାଜ୍ୟର ପ୍ରଥମ ମହିଳା ଭାବେ ସେ ଏହି ସଫଳତା ହାସଲ କରି ସମଗ୍ର ଓଡ଼ିଆଙ୍କ ପାଇଁ ଗୌରବ ଆଣି ଦେଇଛନ୍ତି।

ସିଡିଏସ୍‌ ପରୀକ୍ଷା-୨୦୧୯ର ମହିଳା ବର୍ଗରେ ମୋଟ୍‌ ୬୭ଜଣ ଆଶାୟୀ କୃତିତ୍ବ ହାସଲ କରିଥିବା ବେଳେ ନାଧରା ଗାଁର ଜୟକୃଷ୍ଣ ପରିଡ଼ାଙ୍କ ନାତୁଣୀ ଅଦିତି ସମସ୍ତଙ୍କୁ ପଛରେ ପକାଇ ସେଥିରେ ଟପର ହୋଇଛନ୍ତି। ଏଭଳି କୀର୍ତ୍ତିମାନ କରିବାରେ ଅଦିତି ରାଜ୍ୟର ପ୍ରଥମ ମହିଳା ବୋଲି ଜଣାପଡ଼ିଛି। ନିଜର ସଫଳତାକୁ ନେଇ ଅଦିତି କହିଛନ୍ତି, ମୋ ପିଲା ବେଳର ସ୍ବପ୍ନ ସାକାର ହେବାକୁ ଯାଉଛି। ଚେନ୍ନାଇରେ ୪୯ସପ୍ତାହର ଟ୍ରେନିଂ ପରେ ପ୍ରଥମେ ଲେପ୍ଟନାଣ୍ଟ୍‌ ଭାବେ ଭାରତୀୟ ସେନାରେ ଯୋଗ ଦେବି। ପିଲାଟି ବେଳୁ ମୋ‌ତେ ସେନାର ଜୀବନ ଶୈଳୀ ଭଲ ଲାଗିଛି। ସବୁବେଳେ ସେନା ପରିବେଶ ମଧ୍ୟରେ ରହଣି ଏବଂ ବାପାଙ୍କ କାମ ମୋତେ ସେନା ବାହିନୀରେ ଯୋଗ ଦେବା ପାଇଁ ପ୍ରେରଣା ଯୋଗାଇଛି । ଓଡ଼ିଶାର ଝିଅମାନେ ମଧ୍ୟ ସେନାରେ ମୋ ଭଳି ଯୋଗ ଦେବା ପାଇଁ ଆଗେଇ ଆସିବା ଉଚିତ ।

ମିଳିଥିବା ସୂଚନା ମୁତାବକ, ଜେଜେ ବାପା ଅବସରପ୍ରାପ୍ତ ପୁଲିସ ଡିଆଇଜି। ବାପା ଭାରତୀୟ ସେନା ବାହିନୀର ବ୍ରିଗେଡିୟର। ଜେଜେ ବାପା ଏବଂ ବାପାଙ୍କ ପରେ ଏବେ ମା‌ତୃଭୂମିର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଆ ଝିଅ ଅଦିତି ପରିଡ଼ା। ପିଲାଟି ବେଳୁ ଆର୍ମି ପରିବେଶ ଅଦିତିଙ୍କୁ ସେନାବାହିନୀ ସହିତ ଯୋଡ଼ି ହେବା ପାଇଁ ପ୍ରେରିତ କରିଥିଲା। ବାପାଙ୍କର ସେବା ତାଙ୍କୁ ନୂଆ ଅନୁଭୂତି ଦେଇଥି‌ଲା । ସ୍ନାତକ ସରିବା କ୍ଷଣି ସେନାରେ ଯୋଗ ଦେବାର ଲକ୍ଷ୍ୟ ନେଇ ପାଠପଢ଼ା ଆରମ୍ଭ କରିଥିଲେ। ବାପାଙ୍କ ଚାକିରି କାଳ ମଧ୍ୟରେ ସେ ଦେଶର ବିଭିନ୍ନ ଆର୍ମି ସ୍କୁଲରେ ପାଠପଢ଼ା ସାରି ସାମ୍ବାଦିକତାରେ ପୁନେରୁ ସ୍ନାତକ ହାସଲ କରିଥିଲେ। ପ୍ରଥମ ଉଦ୍ୟମରେ ସିଡିଏସ୍‌ ପରୀକ୍ଷାରେ ସେ ଏହି କୃତିତ୍ବ ହାସଲ କରିଛନ୍ତି। ପାଠ ବ୍ୟତୀତ ଭଲିବଲ୍‌, ଓଡ଼ିଶୀ ଏବଂ ଭାରତନାଟ୍ୟମ୍‌, ବିତର୍କରେ ମଧ୍ୟ ସେ ପାରଙ୍ଗମ ଅଛନ୍ତି। ୨୦୧୬ ଆର୍ମି ସ୍କୁଲ୍‌ର ଜାତୀୟ ଡିବେଟ୍‌ ପ୍ରତିଯୋଗିତାରେ ସେ ଚାମ୍ପିଅନ ହୋଇଥିଲେ।

ଏହାସହ ଅଦିତିଙ୍କ ପରିବାରରେ ବାପାଙ୍କ ସହିତ ମା ଏବଂ ସାନ ଭଉଣୀ ରହନ୍ତି। ମା’ ସୁଜାତା ଆର୍ମି ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ। ତେବେ ଝିଅମାନଙ୍କ ପଢ଼ାପଢ଼ିରେ ସମୟ ଦେବା ଲାଗି ସେ ସ୍ବେଚ୍ଛାକୃତ ଭାବେ ଏଥିରୁ ଓହରି ଆସିଥିଲେ। ଏବେ ଯୁକ୍ତ ଦୁଇରେ ପଢୁଥିବା ସାନ ଝିଅ ମଧ୍ୟ ଭାରତୀୟ ବାୟୁସେନାରେ ଯୋଗ ଦେବାର ଲକ୍ଷ୍ୟ ରଖିଥିବା ଅଦିତିଙ୍କ ମା’ ଶ୍ରୀମତୀ ପରିଡ଼ା କହିଛନ୍ତି।