ଦିବ୍ୟବାଣୀ: ବିଭୀଷଣ ଭଳି ଭାଇଟିଏ ଦରକାର!

ଘରକଥା କାହାକୁ କୁହନ୍ତୁ ନାହିଁ । ରାମାୟଣରେ ବିଭୀଷଣ ଚରିତ୍ରକୁ ଆପଣମାନେ ଜାଣିଛନ୍ତି । ବିଭୀଷଣ ରାବଣର ସାନଭାଇ । ରାବଣର ମୃତ୍ୟୁଭେଦ ବିଭୀଷଣଙ୍କୁ ଜଣା ଥିଲା । ରାବଣଙ୍କଠାରୁ ଅପମାନିତ ହୋଇ ବିଭୀଷଣ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଶରଣାପନ୍ନ ହେଲେ ।
ରାବଣ ହାତରେ ବାରମ୍ବାର ପରାସ୍ତ ହୋଇ ରାମଚନ୍ଦ୍ର ଚିନ୍ତାରେ ପଡ଼ିଗଲେ । କେମିତି ମାରିବେ ବିଭୀଷଣକୁ ପଚାରିଲେ । ବିଭୀଷଣକୁ ରାମଚନ୍ଦ୍ରକୁ ରାବଣର ମୃତ୍ୟୁଭେଦ କଥା କହିଦେଲେ । ତା’ ପର ଘଟଣା ଆପଣ ଜାଣନ୍ତି । ବିଭୀଷଣ ମହାପ୍ରଭୁ ରାମଚନ୍ଦ୍ରଙ୍କର ପରମ ଭକ୍ତ ଥିଲେ ।

କିନ୍ତୁ ଥରେ ଭାବିଲେ, ଆପଣଙ୍କର ଜଣେ ଭାଇ ବିଭୀଷଣ ଭଳି ଆପଣଙ୍କ ଶତ୍ରୁ ସହିତ ହାତ ମିଳାଇଲେ ଆପଣଙ୍କୁ ଭଲ ଲାଗିବ କି? ତେଣୁ ମୋର ଛୋଟ ଅନୁରୋଧ । ଘର ଭିତରେ ଭାଇ-ଭାଇ, ବାପ-ପୁଅ, ଭାଇ-ଭଉଣୀ ଭିତରେ ଯେତେ ବିବାଦ ଥାଉ ନା କାହିଁକି, ସେ ବିଷୟ ବାହାର ଲୋକଙ୍କ ଆଗରେ କହିବା ଅନୁଚିତ । ସେଭଳି କଲେ, ଆପଣ ଘରଲୋକଙ୍କ ନିକଟରେ ଅପ୍ରିୟ ହେବେ । ତା’ ସହିତ ବାହାର ଲୋକଙ୍କ ନିକଟରେ ବିଶ୍ୱାସଭାଜନ ହୋଇପାରିବେନି । ବାହାର ଲୋକ ଆପଣଙ୍କୁ ଗୃହଭେଦୀ ବିଭୀଷଣ କହି ଥଟ୍ଟା ପରିହାସ କରିବେ । ଆପଣ କାହାର ବିଶ୍ୱାସର ପାତ୍ର ହୋଇପାରିବେନି ।

ଆଉ ଗୋଟିଏ କଥା ମନେରଖନ୍ତୁ, କାହା ସହିତ ଆପଣଙ୍କର ଘନିଷ୍ଠ ମିତ୍ରତା ରହିଛି । କାହା ସହିତ ଆପଣଙ୍କର ଶତ୍ରୁତା ରହିଛି । ସେ ସଂପର୍କରେ କାହାକୁ କୁହନ୍ତୁ ନାହିଁ । ସେଭଳି କରୁଥିଲେ, ଆପଣ ନିଜ ଗୋଡ଼କୁ କୁରାଢ଼ି ମାରୁଛନ୍ତି ବୋଲି ଜାଣନ୍ତୁ । କିଭଳି? ଆପଣଙ୍କ ଜଣେ ଶତ୍ରୁ ଆପଣଙ୍କର ଆଉ ଜଣେ ଶତ୍ରୁ ସହିତ ମିଶି ଆପଣଙ୍କୁ ଗାତରେ ପକାଇବାକୁ ଉଦ୍ୟମ କରିପାରେ । ସେହିଭଳି ଆପଣଙ୍କର ଜଣେ ମିତ୍ର ଆପଣଙ୍କର ଆଉ ଜଣେ ମିତ୍ର ପାଖରେ ପହଂଚି ଆପଣଙ୍କର ନାମ କହି କିଛି ଫାଇଦା ଉଠାଇ ନେଇପାରେ ଯାହା ଭବିଷ୍ୟତରେ ଆପଣଙ୍କୁ ବିପଦରେ ପକାଇପାରେ ।

ଜାଣନ୍ତି? ଆପଣଙ୍କ ସେବା ମନୋଭାବ ଆପଣଙ୍କ ପାଇଁ ଉଭୟ ପ୍ରଶଂସା ଓ ବଦନାମ ଆଣିପାରେ । କିପରି? ଦାତବ୍ୟ ଅନୁଷ୍ଠାନଟିଏ କରି ସମାଜର ସେବା କରନ୍ତୁ । ଲୋକମାନେ ଆପଣଙ୍କର ଉଚ୍ଚ ପ୍ରଶଂସା କରିବେ । ସାମାଜିକ ସ୍ତରରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ । କିନ୍ତୁ ଆପଣ କାହାକୁ କେତେ ଆର୍ଥିକ ସାହାଯ୍ୟ କରୁଛନ୍ତି, ସେ ସଂପର୍କରେ ପ୍ରଘଟ କରିବେ ନାହିଁ । ଗଣମାଧ୍ୟମ ଆଗରେ କିଛି ଜଣାଇବେ ନାହିଁ, ସେଭଳି କଲେ ଲୋକମାନେ ଆପଣଙ୍କୁ ଆଦର ସମ୍ମାନ କରିବେନି ।
ଆପଣ ଲୋକ ଦେଖାଣିଆ ସେବା କରୁଛନ୍ତି କହି ଲୋକମାନେ ଆପଣଙ୍କର ଅପପ୍ରଚାର କରିବେ । ତେଣୁ ମୋର ଅନୁରୋଧ, କାହାକୁ ଦାନ କରୁଥିଲେ, ଲୁଚାଇ ରଖନ୍ତୁ । କେତେ ଦାନ କରୁଛନ୍ତି, ଜଣାଇବା ଦରକାର ନାହିଁ ।

‘ପ୍ରତ୍ୟାଖ୍ୟାନ: ‘ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ/ ବକ୍ତବ୍ୟ / ବିଶ୍ୱାସ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା, ଏହାର ଉପଭୋକ୍ତାମାନେ ଏହାକୁ କେବଳ ସୂଚନା ଭାବରେ ଗ୍ରହଣ କରିବା ଉଚିତ୍ ।’