‘ଗହ୍ମା’ପୂର୍ଣିମା: ଗହ୍ମାଦେବୀ ବା ଗୋ-ମାତା ଓ ‘ଗହ୍ମାଡିଆଁ’ ଜାଣନ୍ତୁ..

ଗହ୍ମାପୂର୍ଣ୍ଣିମା ପର୍ବ ଏଭଳି ଏକ ପରମ୍ପରା ଏକଦା ଜୀବନଚର୍ଯ୍ୟା ସହିତ ଘନିଷ୍ଠ ଭାବେ ଯୋଡ଼ି ହୋଇ ରହୁଥିଲା। ଏହା ଏକ କୃଷି-ଭିତ୍ତିକ ପର୍ବ। ଏହି ଦିନ “ମହାପ୍ରଭୁ ବଳଭଦ୍ର“ଙ୍କ ଜନ୍ମଦିନ ହୋଇଥିବାରୁ ଏଥିରେ ଗାଁ ଗଣ୍ଡା ଗୁଡିକରେ ପାରମ୍ପରିକ ପିଠା ପ୍ରସ୍ତୁତି ସହିତ ଗୋରୁଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମୁଖ୍ୟତଃ କୃଷିର ଉନ୍ନତି ସାଧନ ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିନ ଗୋ/(ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ। ଗ୍ରାମ ପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇବା ଆକାର ମୃତ୍ତିକା ସ୍ତୁପ ନିର୍ମାଣ କରାଯାଏ। ସେହି ବଳୀବୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗହ୍ମାବେଦୀ କହନ୍ତି। ସେହି ଗହ୍ମାବେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି।

‘ଗହ୍ମାଡିଆଁ’
ଗହ୍ମାଡ଼ିଆଁ ଓଡ଼ିଶାର ଏକ ପୁରାତନ ଏବଂ ଲୋକପ୍ରିୟ ଖେଳ। ଏହା ଉଚ୍ଚ ଡିଆଁ ପ୍ରତିଯୋଗିତା ଧରଣର। ରାକ୍ଷୀପୂର୍ଣ୍ଣିମା ତଥା ଗହ୍ମାପୂର୍ଣ୍ଣିମା ଅବସରରେ ଗାଁ ଓ ସହରରେ ଏହି ଖେଳ ଖେଳାଯାଏ। ଦକ୍ଷିଣ-ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହା ଜଣାଶୁଣା। ଏହା ସାଧାରଣରତଃ କିଶୋର ଓ ଯୁବକମାନଙ୍କଦ୍ୱାରା ଖେଳା ଯାଇଥାଏ ଓ ଏହି ଖେଳ ଦେଖିବାକୁ ସାହିମାନଙ୍କରେ ବିଶେଷ ଭିଡ଼ ଜମେ।

ଗାଈ ଗୋରୁ ମାନଙ୍କୁ ଏହି ଦିନରେ ବାଡ଼ିରେ ବାଡେଇବା ମନା। ତେଣୁ ଗାଈ-ଗୋରୁ ମାନଙ୍କ ପାଇଁ ଗୋବାରା ଗଛର ବାଡ଼ି(ଅତି ନରମ) ବ୍ୟବହାର ଯାଏ (କେବଳ ଗାଈ ବଳଦଙ୍କୁ ଆକଟ ପାଇଁ)। ଚାଷୀମାନେ ସେମାନଙ୍କ ଚାଷବାସ କାମ ପୂର୍ବଦିନରୁ ସାରି ଏହି ପର୍ବକୁ ଉତ୍ସାହ ସହକାରେ ପାଳନ କରୁଥଲେ ହେଁ ଆଜିକାଲି ଏ ପର୍ବ ରାଖି ବାନ୍ଧିବା ନୀତିରେ ସୀମିତ ହୋଇଯାଇଛି।

ଭଉଣୀମାନେ ସେମାନଙ୍କ ଭାଇ ହାତରେ ରାଖି ବାନ୍ଧି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ପର୍ବର ପ୍ରାସଙ୍ଗିକତାକୁ ପ୍ରାୟତଃ କେତେକ ସ୍ଥଳେ ବଦଳାଇ ଦେଇଥିବା ଦେଖୁବାକୁ ମିଳୁଛି। ପ୍ରଭୁ ବଳଦେବଙ୍କ ହାତରେ ‘ଗହ୍ମାସୁର‘ର ମୃତ୍ୟୁ ହେବା ପରେ ପୃଥିବୀପୃଷ୍ଠରୁ ପାପ କମି ଯାଇଥିବାରୁ ଲୋକେ ଆନନ୍ଦରେ ଗହ୍ମାଡିଆଁ ଖେଳ ଖେଳିଥାନ୍ତି ବୋଲି ଲୋକ କଥା ରହିଛି।

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ କିଛି ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଗୋଟିଏ ବଡ଼ ଆକୃତିରେ ମଞ୍ଚ ଭଳି ପ୍ରସ୍ତୁତି ହୁଏ ସ୍ଥାନ । ଏହି ମଞ୍ଚ ତଳୁ ଉପରକୁ ୩ରୁ ୫ ଫୁଟ(ଗାଈ-ଗୋରୁଙ୍କ ପାଇଁ) ପର୍ଯ୍ୟନ୍ତ ଉଚ୍ଚତା ବିଶିଷ୍ଟ। ଚିକିଟା ମାଟିଦ୍ୱାରା ପ୍ରସ୍ତୁତି ହୋଇ ଉପର ଭାଗରେ ବିଭିନ୍ନ ଘାସ,ଗଛର ପତ୍ର ରଖି ପ୍ରସ୍ତୁତି କରାଯାଏ ସ୍ୱତନ୍ତ୍ର ମଞ୍ଚ। ଏହି ମଞ୍ଚ ଉପର ଦେଇ ଡ଼ିଆଁ ମାରନ୍ତି ପ୍ରତିଯୋଗୀ। ମାଟି ଓ ବାଲିରେ ନିର୍ମିତ ୫ ଫୁଟରୁ ୬ଫୁଟ ଉଚ୍ଚତା ବିଶିଷ୍ଟ ଗହ୍ମାକୁଦା(ମଣିଷଙ୍କ ପାଇଁ) ଉପରେ ଡେଇଁ ଏହି ଖେଳ ଖେଳି ଯୁବକମାନେ ଖୁସି ମନାଇଥାନ୍ତି।

ମଞ୍ଚ ଠାରୁ କିଛି ଦୂରରେ ଟଙ୍ଗାଯାଏ ଆକର୍ଷଣୀୟ ସାମଗ୍ରୀ। ଯେଉଁ ପ୍ରତିଯୋଗୀ ଟଙ୍ଗା ଯାଇଥବା ସାମଗ୍ରୀକୁ ଛୁଇଁ ଦେଉଥଲେ,ସେହି ସାମଗ୍ରୀଟି ତାର ହୋଇଯାଏ। ବିସ୍କୁଟ ପ୍ୟାକେଟ ଠାରୁ ଆରମ୍ଭ କରି ସୁନା ମୁଦି ପର୍ଯ୍ୟନ୍ତ ପାଆନ୍ତି ପ୍ରତିଯୋଗୀ। ପିଲା ଠାରୁ ଆରମ୍ଭ କରି ବୟସ୍କ/ବୟସ୍କା ପର୍ଯ୍ୟନ୍ତ ସମସ୍ତେ ଏଥରେ ଅଂଶଗ୍ରହଣ କରନ୍ତି। ରାକ୍ଷୀପୂର୍ଣ୍ଣିମା ଦିବସର ସନ୍ଧ୍ୟାରେ ଆୟୋଜିତ ହୁଏ ଏହି ଖେଳ। ମଞ୍ଚର କିଛି ଦୂରରେ ଦୁଇ ପାର୍ଶ୍ୱରେ ବଡ଼ ବଡ଼ ଖୁଣ୍ଟଦ୍ୱାରା ଦୌଡ଼ି ମଧରେ ଟଙ୍ଗାଯାଏ ବିଭିନ୍ନ ସାମଗ୍ରୀ। ପ୍ରତିଯୋଗୀଙ୍କ ଲକ୍ଷ୍ୟ ରହୁଥୁଲା ସେମାନେ ଯେପରି ମୂଲ୍ୟବାନ ସାମଗ୍ରୀକୁ ଛୁଇଁ ଦେବେ ; ଆଉ ନେଇଯିବେ ତାକୁ ଘରକୁ। ଏହି ଆଶାରେ ମଞ୍ଚ ଉପରକୁ ଦୌଡ଼ି ଯାଇ ମାରୁଥଲେ ଡ଼ିଆଁ ସେହି ଟଙ୍ଗାଯାଇଥିବା ସାମଗ୍ରୀ ନିକଟକୁ। ଟଙ୍ଗା ଯାଇଥବା ସମସ୍ତ ସାମଗ୍ରୀ ସମାପ୍ତ ପରେ ହିଁ ଏହି ଖେଳ ସମାପ୍ତର ଘୋଷଣା କରାଯାଏ। ଏହି ଖେଳ ସାଧାରଣତଃ ସାହି ସାହି ମଧରେ ପ୍ରତିଯୋଗିତା ଆକାରରେ ଆୟୋଜିତ ହୁଏ।

ଦକ୍ଷିଣ ଓଡ଼ିଶାର ଏବେ ମଧ୍ୟ ବିଭିନ୍ନ ସ୍ନାନରେ ଗହ୍ମାଡ଼ିଆଁ ଖେଳ ଅନୁଷ୍ଠିତ ହେଉଛି। ଆଧୁନିକାତାର ସ୍ପର୍ଶରେ ଅନେକ ପାରମ୍ପରିକ ଲୋକ ସଂସ୍କୃତି ଦିନକୁ ଦିନ ଲୋପ ପାଇବାକୁ ବସିଲାଣି। ହେଲେ ଆଜିର ନୂତନ ଯୁଗର ଯୁବପୀଢ଼ିଙ୍କ ନିକଟରେ ଆଉ ସମୟ ନାହିଁ। ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଏହି ଗହ୍ମାଡ଼ିଆକୁ ଡେଇଁବାକୁ କାହାର ନିକଟରେ ବେଳ ନାହିଁ। ଫଳରେ ଗହ୍ମାଡିଆଁ ଏକ ପ୍ରକାର ଉଭାନ ହେବାକୁ ବସିଲାଣି। ଏହି ପାରମ୍ପରିକ କ୍ରୀଡାର ଅବକ୍ଷୟ ଦିନକୁଦିନ ଘଟିବାରେ ଲାଗିଛି। ଗ୍ରାମାଞ୍ଚଳର କେତେକ ସାହିବସ୍ତିରେ ଏହି ଖେଳ ହେଉଥବା ବେଳେ,ସହରାଞ୍ଚଳରେ ଏହି ଗହ୍ମାଡିଆଁ ଖେଳ ପ୍ରାୟ ଲୋପ ପାଇଛି। କାଁ ଭାଁ ସ୍ଥାନରେ ଏହି ପ୍ରତିଯୋଗିତା ହୋଇ କେତେକ ନିର୍ଦ୍ଦିଷ୍ଟ ବର୍ଗଙ୍କଠାରେ ସୀମିତ ରହୁଛି।

ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ,ଖବରକାଗଜ, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଆଜି ‘ଗହ୍ମାପୂର୍ଣିମା’ଟା ‘ରାକ୍ଷୀପୂର୍ଣ୍ଣିମା’ ହୋଇଯାଇଛି। ପରିସ୍ଥିତି ଏଭଳି ହୋଇଛି ଯେ,ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି; କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ‘ଗହ୍ମା’ ଶବ୍ଦର ଅର୍ଥ ଗହ୍ମାଦେବୀ ବା ଗୋ-ମାତା।

ନୂତନତ୍ୱ ଓ ଫେସନ ନାମରେ ଅନ୍ୟ ସଂସ୍କୃତିର ପ୍ରାଦୁର୍ଭାବ ଫଳରେ ଉତ୍କଳୀୟ ସଂସ୍କୃତି ଅବକ୍ଷୟ ହେଉଥିବାର ଦୃଷ୍ଟି ଗୋଚର ହେଲାଣି ; ଯାହା ଜଗନ୍ନାଥ ସଂସ୍କୃତି ପାଇଁ ବିପଦଜନକ ମନେହୁଏ।