ନବରାତ୍ରିରେ ପିଆଜ ରସୁଣ ମନା କାହିଁକି?

ପିଆଜ ରସୁଣ ଆସୁରିକ ଶକ୍ତିର ପ୍ରତୀକ…..

ସେପ୍ଟେମ୍ବର ୨୬ରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ନଅ ଦିନ ପାଇଁ ମନ୍ଦିର, ଘର ଓ ପୂଜାମଣ୍ଡପରେ କଳସ ସ୍ଥାପନ କରି ମା’ ଦୁର୍ଗାଙ୍କର ଆରାଧନା କରାଯାଏ । ଶ୍ରଦ୍ଧାଳୁମାନେ ପବିତ୍ର ମନରେ ମା’ ଦଶଭୁଜାଙ୍କ ବ୍ରତ କରିଥାନ୍ତି । ବ୍ରତଧାରୀମାନେ ସାତ୍ୱିକ ଭୋଜନ କରି ମା’ଙ୍କ ପ୍ରତି ସମର୍ପିତ ରହନ୍ତି । ଶ୍ରଦ୍ଧାଳୁମାନେ ନଅଦିନ ପାଇଁ ବିନା ପିଆଜ ଓ ରସୁଣରେ ତିଆରି ଖାଦ୍ୟ ଗ୍ରହଣ କରିଥାନ୍ତି । କ’ଣ ପାଇଁ ଲୋକମାନେ ପିଆଜ ଓ ରସୁଣ ବ୍ୟବହାର କରନ୍ତି ନାହିଁ, ଜାଣିଛନ୍ତି?

ସାଧାରଣତଃ ହିନ୍ଦୁଧର୍ମର ଲୋକମାନେ ଦେବଦେବୀଙ୍କ ପୂଜାର୍ଚ୍ଚନା ଦିନ ରନ୍ଧନ କାର୍ଯ୍ୟରେ ପିଆଜ ରସୁଣ ବ୍ୟବହାର କରି ନଥାନ୍ତି । କିନ୍ତୁ ମା’ ଦୁର୍ଗାଙ୍କ ପୂଜାକୁ ସର୍ବାଧିକ ଗୁରୁତ୍ୱ ଦେଇ ଅତି ନିଷ୍ଠାର ସହ ପାଳନ କରନ୍ତି । ପୁରାଣ କଥିତ ଅନୁସାରେ ଦେବତା ଓ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରୁଥିଲେ । ସମୁଦ୍ର ଗର୍ଭରୁ ନଅଟି ରତ୍ନ ବାହାରିଲା । ଶେଷରେ ଅମୃତ ଭାଣ୍ଡ ଧରି ପ୍ରଭୁ ଧନ୍ୱନ୍ତରୀ ଆବିର୍ଭାବ ହେଲେ । ଅମୃତ ପାଇଁ ଦେବାସୁର ଲଢେ଼ଇକୁ ବାହାରି ପଡ଼ିଲେ ।

ମାତ୍ର ବିଶ୍ୱପାଳକ ଭଗବାନ ବିଷ୍ଣୁ ମୋହିନୀ ବେଶ ଧାରଣ କରି ପ୍ରଥମେ ଦେବତାଙ୍କୁ ଅମୃତ ବିତରଣ କଲେ । ଅସୁରଙ୍କ ସେନାପତି ରାହୁ ଦେବତାଙ୍କ ରୂପ ଧାରଣ କରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଝିରେ ଠିଆ ହୋଇଥିଲା । ମୋହିନୀଙ୍କ ଅମୃତ ଗ୍ରହଣ କରିବା ମାତ୍ରେ ଚଟାପଟ୍‌ ପିଇଦେଲା । ମହାପ୍ରତାପୀ ରାହୁକୁ ସହସା ଚିହ୍ନି ପକାଇଲେ ମହାବିଷ୍ଣୁ । ସୁଦର୍ଶନ ରାହୁକୁ ଦୁଇଖଣ୍ଡ କଲାବେଳକୁ ଅମୃତ ତା’ର ଗର୍ଭକୁ ଯାଇସାରିଥିଲା । ରାହୁ ଦୁଇଖଣ୍ଡ ହୋଇଗଲେ ମଧ୍ୟ ଜୀବିତ ରହିଲା । ମୁଣ୍ଡଟି ରାହୁ ଓ ଗଣ୍ଡିଟି କେତୁ ଭାବେ ପରିଚିତ ହେଲେ । ଗଣ୍ଡିରୁ ଅଲଗା ହୋଇ ରାହୁର ମୁଣ୍ଡଟି ଯୋଉଠି ଭୂମିକୁ ସ୍ପର୍ଶ କଲା । ସେଠାରେ ଉଠିଲା ପିଆଜ ଓ ରସୁଣ ଗଛ ।

ଅସୁର ରକ୍ତରୁ ଉତ୍ପତି ହୋଇଥିବାରୁ ଦେବକାର୍ଯ୍ୟରେ ପିଆଜ ଓ ରସୁଣ ଲାଗେ ନାହିଁ । ସାତ୍ୱିକ ଭୋଜନ କହିଲେ ବିନା ପିଆଜ ରସୁଣ ରନ୍ଧାଖାଦ୍ୟ । ରାଜସିକ ଓ ତାମସିକ ଭୋଜନରେ ଅଧିକ ପିଆଜ ଓ ରସୁଣ ବ୍ୟବହାର କରାଯାଏ । ପିଆଜ ରସୁଣ ବ୍ୟବହୃତ ଖାଦ୍ୟ ସେବନ କରିବା ଫଳରେ ମନରେ ରାଜସିକ ଓ ତାମସିକ ଭାବନା ବୃଦ୍ଧି ପାଇଥାଏ । ମଣିଷ ମନରୁ ଧାର୍ମିକ ଭାବନା କମିଯାଏ; ମଣିଷ ବିବେକଶୂନ୍ୟ ହୋଇ ନାନା ଦୁଷ୍ଟଶକ୍ତିର ଦାସ ହୋଇଯାଏ । ଦୁର୍ଗାପୂଜା ସମୟରେ ସାତ୍ୱିକ ଭୋଜନ ମନରେ ଧର୍ମ ପ୍ରତି ଅନୁରାଗ ବୃଦ୍ଧି କରେ ।

ଆମେ ଜାଣିଛେ; ମାଛ କଙ୍କଡ଼ା ମାଂସ ଅଣ୍ଡା ପିଆଜ ରସୁଣ ଆଦି ରାକ୍ଷସ ଭୋଜନ ଅନ୍ତର୍ଭୁକ୍ତ । ସେଗୁଡ଼ିକୁ ସେବନ କଲେ ଘରେ ଅଶାନ୍ତି, ରୋଗ, ଶୋକ, ମାନସିକ ଚିନ୍ତା ପ୍ରବେଶ କରନ୍ତି । ତେଣୁ ହିନ୍ଦୁ ପରିବାରକୁ ପିଆଜ ରସୁଣ ବାରଣ କରାଯାଇଥାଏ ।

ବିଜ୍ଞାନ ବି କହେ, ‘ପିଆଜ ରସୁଣ ଖାଆନ୍ତୁନି’
ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଖାଦ୍ୟପଦାର୍ଥ ସେବନ କାରଣରୁ ମଣିଷ ମନ ଓ ଶରୀର ଉପରେ ତିନି ପ୍ରକାର ପ୍ରଭାବ ପଡ଼ିଥାଏ । ସେଗୁଡ଼ିକ ହେଉଛି ରାଜସିକ, ତାମସିକ ଓ ସାତ୍ୱିକ । ବିଜ୍ଞାନ ମତରେ ଅକ୍ଟୋବର-ନଭେମ୍ବର ମାସରେ ବର୍ଷାଋତୁ ପ୍ରସ୍ଥାନ ଓ ଶରତ ଋତୁ ଆଗମନ କରିଥାଏ । ଋତୁ ପରିବର୍ତନ କାରଣରୁ ମଣିଷଙ୍କ ଶରୀରରୁ ଜଳୀୟ ଅଂଶ କମିଯାଏ । ତା’ ପ୍ରଭାବରେ ମଣିଷ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ଦୁର୍ବଳ ଅନୁଭବ କରନ୍ତି । ଏହି ସମୟରେ ସାତ୍ୱିକ ଭୋଜନ ହିଁ ଶରୀରର ପାଚନ ଶକ୍ତିକୁ ନିୟନ୍ତ୍ରଣ କରିଥାଏ । ବିଷାକ୍ତ ରସାୟନ ବିଭିନ୍ନ ଉପାୟରେ ଶରୀରରୁ ବାହାରିଯାଏ ।

ପିଆଜ ରସୁଣର ବହୁଳ ବ୍ୟବହାର ଆମର ମାନସିକ ଓ ସୃଜନାତ୍ମକ ଶକ୍ତିକୁ ଖୋରାକ୍‌ ଯୋଗାଇଥାଏ । ମନକୁ ସର୍ବଦା ବିଚଳିତ ରଖେ । ଆଗପଛ ବିଚାର ନକରି ଯେକୌଣସି କାମ କରିବାକୁ ମନ ଧାଇଁଯାଏ । ତେଣୁ ମନ ଉପରେ ନିୟନ୍ତ୍ରଣ ରଖିବା ପାଇଁ ନବରାତ୍ରି ସମୟରେ ପିଆଜ ରସୁଣ ଖାଇବା ମନା ।