ପରଲୋକରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିଂଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ନେତା ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଯେ, ଜଶୱନ୍ତ ସିଂ ଜୀ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଭାବରେ ଆମ ଦେଶର ସେବା କରିଛନ୍ତି। ପ୍ରଥମେ ଜଣେ ସୈନିକ ଭାବରେ ଓ ପରେ ରାଜନୀତି ସହ ଜଡ଼ିତ ହୋଇ ଦେଶ ପାଇଁ କାମ କରିଛନ୍ତି । ସେ ଅଟଳ ଜୀଙ୍କ ସରକାର ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ପରିଚାଳନା କରିଥିଲେ । ଏବଂ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାରରେ ନିଜର ଦୃଢ଼ ଛାପ ଛାଡ଼ିଥିଲେ। ତାଙ୍କ ଦେହାନ୍ତ ଖବର ପାଇ ମୁଁ ଦୁଃଖିତ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ଜଶୱନ୍ତ ସିଂଙ୍କୁ ତାଙ୍କର ବୈଦ୍ଧିକ ଦକ୍ଷତା ତଥା ଦେଶ ପାଇଁ ସେବା ପାଇଁ ସବୁବେଳେ ସ୍ମରଣୀୟ ରହିବେ । ରାଜସ୍ଥାନରେ ବିଜେପିକୁ ମଜବୁତ କରିବାରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଦୁଃଖଦ ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା ଜଣାଇଛନ୍ତି ।


ଜଶୱନ୍ତ ସିଂ ୧୯୬୦ ମସିହାରେ ସେନାରେ ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପ୍ରବେଶ କରିଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଏନଡିଏ ସରକାରରେ ସେ ତାଙ୍କ କ୍ୟାରିୟରର ଶୀର୍ଷରେ ଥିଲେ । ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଏନଡିଏ ଶାସନ ସମୟରେ ଜଶୱନ୍ତ ଅର୍ଥ, ପ୍ରତିରକ୍ଷା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ।


ଜଶୱନ୍ତଙ୍କ ରାଜନୈତିକ କ୍ୟାରିୟର ଅନେକ ଉତ୍ଥାନ-ପତନ ଦେଇ ଗତି କରିଛି । ୧୯୯୯ରେ ଏୟାର ଇଣ୍ଡିଆର ଅପହରଣ ହୋଇଥିବା ବିମାନର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଆତଙ୍କବାଦୀଙ୍କ ସହ କାନ୍ଦାର ଯାଇଥିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏନଡିଏ ଶାସନ କାଳରେ ଜଶୱନ୍ତ ସିଂ ସର୍ବଦା ଅଟଳ ବିହାରୀ ବାଜପେୟୀଙ୍କ ବିଶ୍ୱାସୀ ଥିଲେ । ସେ ବ୍ରଜେଶ ମିଶ୍ର ଏବଂ ପ୍ରମୋଦ ମହାଜନଙ୍କ ସହ ବାଜପେୟୀ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ। ପରେ ସେ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭାରେ ବିରୋଧୀ ଦଳର ନେତା ରହିଥିଲେ । ଏବଂ ଗୋରଖଲାଣ୍ଡ ପାଇଁ ଦାର୍ଜିଲିଂରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ଅଗଷ୍ଟ ୨୦୦୯ରେ ସେ ତାଙ୍କ ପୁସ୍ତକ ‘ଜିନ୍ନା: ଭାରତ ବିଭାଜନ ଏବଂ ସ୍ବତନ୍ତ୍ରତା’ ରେ ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ପ୍ରଶଂସା କରିଥିବାରୁ ଜଶୱନ୍ତ ସିଂଙ୍କୁ ଭାଜପାରୁ ବହିଷ୍କାର ହେବାକୁ ପଡିଥିଲା ।