ନବରାତ୍ରିରେ ମା’ ରାମଚଣ୍ଡି ଗ୍ରହଣ କରନ୍ତି ବଳି

ଆଶ୍ୱିନ ମାସରେ ମା’ଙ୍କ ପାଖରେ ବଳି ପରମ୍ପରା ରହିଛି……

ଓଡ଼ିଶାର ହାତଗଣତି ଲୋକପ୍ରିୟ ଶକ୍ତିପୀଠ ଭିତରୁ ମା’ ରାମଚଣ୍ଡି ଅନ୍ୟତମ । କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ମାତ୍ର ୫ କିଲୋମିଟର ଦୂରରେ କୁଶଭଦ୍ରା ନଦୀ ଯୋଉଠି ବଙ୍ଗୋପ ସାଗରକୁ ସ୍ପର୍ଶ କରିଛି । ସେହିଠାରେ ପୂଜା ପାଉଛନ୍ତି ମା’ ରାମଚଣ୍ଡି । ଅଧିକାଂଶ ଲୋକ ମା’ଙ୍କୁ କୋଣାର୍କର ଗ୍ରାମଦେବୀ କହିଥାନ୍ତି । କେହି କେହି ମା’ଙ୍କୁ ସୂର୍ଯ୍ୟଦେବତାଙ୍କର ଧର୍ମପତ୍ନୀ ମାୟାଦେବୀ ମନେକରନ୍ତି । ମା’ ସର୍ବଦା ଉଗ୍ରମୁଖା କାରଣରୁ ଚଣ୍ଡି ନାମଧାରଣ କରିଛନ୍ତି ।

ସୂର୍ଯ୍ୟମନ୍ଦିର ପ୍ରତିଷ୍ଠା କରାଯିବାର ବହୁ ପୂର୍ବରୁ ମା’ ରାମଚଣ୍ଡିଙ୍କ ମନ୍ଦିର ନିର୍ମାଣ ହୋଇଥିବା କୁହାଯାଏ । ଉକ୍ରଳର କାରୁକାର୍ଯ୍ୟ ଦୃଷ୍ଟିରୁ ମନ୍ଦିରଟି ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ; ମାତ୍ର ଧାର୍ମିକ ଦୃଷ୍ଟିରୁ ମା’ ରାମଚଣ୍ଡି ଡାକିଲା ମାତ୍ରେ ଶୁଣନ୍ତି । ମା’ ପଦ୍ମଫୁଲ ଉପରେ ଆସୀନ । ମନ୍ଦିରଟିର ଅଧା ବାଲିରେ ପୋତି ହୋଇଯାଇଛି । ମନ୍ଦିରର ଚାରିପଟେ କାଜୁବଗିଚା । ମେରାଇନ୍‌ ଡ୍ରାଇଭ୍‌ ତିଆରି ପୂର୍ବରୁ ରାମଚଣ୍ଡି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ବେଶି ନଥିଲା । ମାତ୍ର ଆଜିକାଲି ରାମଚଣ୍ଡି ପୀଠଟି ବଣଭୋଜି ପାଇଁ ପ୍ରସିଦ୍ଧି ଅର୍ଜନ କରିଛି । ଆଶ୍ୱିନ ମାସରେ ମା’ଙ୍କ ପାଖରେ ବଳି ପରମ୍ପରା ରହିଛି । ତେଣୁ ଦୁର୍ଗାପୂଜା ସମୟରେ ପୀଠରେ ବହୁ ଲୋକଙ୍କ ସମାଗମ ହୁଏ ।

ଇତିହାସ କହେ, ସପ୍ତଦଶ ଶତାବ୍ଦୀରେ ବ୍ରାହ୍ମଣ ଯୁବକ କଳାପାହାଡ଼ ମୁସଲିମ ଧର୍ମ ଗ୍ରହଣ କରିବା ପରେ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିଲା । ପୂଜକମାନେ ତାକୁ ମନ୍ଦିର ଭିତରକୁ ଯିବା ପାଇଁ ପ୍ରତିବାଦ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ କଳାପାହାଡ଼ ଓଡ଼ିଶାର ସବୁ ମନ୍ଦିର ଭାଙ୍ଗିଦେବାର ପଣ କରିଥିଲା । ପୁରୀର ସବୁ ମନ୍ଦିର ଭାଙ୍ଗିବା ପରେ କଳାପାହାଡ଼ କୋଣାର୍କ ସୂର୍ଯ୍ୟ ମନ୍ଦିର ଭାଙ୍ଗିଥିଲା । ତା’ପରେ ଆସି ପହଂଚିଲା ମା’ ରାମଚଣ୍ଡିଙ୍କ ମନ୍ଦିରରେ ।

ମା’ ରାମଚଣ୍ଡି ଜଣେ ମାଳୁଣୀ ବେଶରେ ସଜାଇ ହୋଇ କଳାପାହାଡ଼କୁ କହିଲେ, ବାବୁ, ମୁଁ ନଦୀରୁ ପାଣି ଆଣିବା ପର୍ଯ୍ୟନ୍ତ ତମେ ଏଠାରେ ଅପେକ୍ଷା କରିଥାଅ । ମୁଁ ଆସିଲେ ମନ୍ଦିର କବାଟ ଖୋଲିଦେବି । ତମେ ମନ୍ଦିର ଭଙ୍ଗାରୁଜା କରିବ । କଳାପାହାଡ଼କୁ ମନ୍ଦିର ଦୁଆର ମୁହଁରେ ବସାଇ ଦେଇ ମାଳୁଣୀ ରୂପୀ ମା’ ନଦୀ ଆଡ଼କୁ ଚାଲିଗଲେ । କଳାପାହାଡ଼ ବହୁତ ସମୟ ଅପେକ୍ଷା କରି ମନ୍ଦିର ଭିତରେ ପଶିଲା । ଦେଖିଲା, ମା’ଙ୍କ ସିଂହାସନ ଖାଲି ପଡ଼ିଛି । କଳାପାହାଡ଼ କୁଶଭଦ୍ରା ନଦୀ ଆଡ଼କୁ ଧାଇଁଲା ।

ମା’ ରାମଚଣ୍ଡି ନଦୀ ମଝିରେ ଏକ ଡଙ୍ଗା ଉପରେ ବସିଛନ୍ତି । ସେତେବେଳେ କୁଶଭଦ୍ରା ନଦୀରେ ଅକାତ କାତ ପାଣି । ତେଣୁ କଳାପାହାଡ଼ ନଦୀମଝିକୁ ଯାଇ ନପାରି ନିରାଶ ହୋଇ ଫେରିଗଲା । ପରେ ମା’ ପୂଜକକୁ ସ୍ୱପ୍ନରେ ଦର୍ଶନ ଦେଇ କୁଶଭଦ୍ରା ନଦୀକୂଳରେ ମନ୍ଦିରଟିଏ ନିର୍ମାଣ କରିବାକୁ ପରାମର୍ଶ ଦେଲେ । ପୂଜକଙ୍କ ପରାମର୍ଶ ଅନୁସାରେ କୁଶଭଦ୍ରା ମୁହାଁଣରେ ମା’ ରାମଚଣ୍ଡିଙ୍କ ମନ୍ଦିର ଠିଆ ହେଲା । ମୂଳ ମନ୍ଦିରଟି ଏବେ ଜୀର୍ଣ୍ଣଶୀର୍ଣ୍ଣ ପ୍ରାୟ ।